କୋର୍ଟଙ୍କୁ ଠକିବାର ଚେଷ୍ଟା: ଓକିଲଙ୍କୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଯେକୌଣସି ପ୍ରକାରେ କୋର୍ଟରୁ ଏକ ଆଦେଶନାମା ପାଇବା ଲାଗି ଓକିଲମାନେ କରୁଥିବା ଅପକୌଶଳକୁ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ବେଞ୍ଚ ନିନ୍ଦା କରିଛନ୍ତି। କୋର୍ଟଙ୍କୁ ଠକିବାର ଚେଷ୍ଟା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ଼। ଏହି ଖଣ୍ଡପୀଠରେ ଜଷ୍ଟିସ୍ ହିମା କୋହଲି ମଧ୍ୟ ଅନ୍ୟତମ ବିଚାରପତି ଥିଲେ। ହାଜତରେ ଥିବା ଜଣେ ଅପରାଧୀଙ୍କୁ ଖଲାସ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି ଚାଲିଥିଲା। ତାଙ୍କ ପାଇଁ କେସ୍ ଲଢ଼ୁଥିବା ଓକିଲ ଜଣକ ଖଣ୍ଡପୀଠ ଆଗରେ କହିଥିଲେ ଯେ ଆବେଦନକାରୀ ୧୭ ବର୍ଷରୁ ଅଧିକ କାଳ ହେଲା ହାଜତରେ ଅଛନ୍ତି। ଏହାପରେ ଖଣ୍ଡପୀଠ ଦର୍ଶାଇଥିଲେ ଯେ ଆବେଦନର ସାରାଂଶରେ ତ ଏହା ଉଲ୍ଲେଖ କରାଯାଇ ନାହିଁ ଯେ ଆବେଦନକାରୀ କି ଧରଣର ଅପରାଧ କରିଥିଲେ।

ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ, ଯେ କୌଣସି ଉପାୟରେ କୋର୍ଟରୁ ଆଦେଶନାମା ହାସଲ କରିନେବା ଲାଗି ଏହା ହେଉଛି ଓକିଲମାନଙ୍କର ଅପକୌଶଳ। ଜଣେ ଅପରାଧୀଙ୍କୁ ଶୀଘ୍ର ଖଲାସ କରାଇବା ପାଇଁ କରାଯାଇଥିବା ଆବେଦନରେ ପ୍ରଥମ କର୍ତ୍ତବ୍ୟ ହେଉଛି ସାରାଂଶ (ସିନୋପ୍ସିସ୍)ରେ ଅପରାଧର ପ୍ରକାର ବିଷୟରେ ଉଲ୍ଲେଖ କରିବା। ଏହାପରେ ଓକିଲ ଜଣକ କହିଥିଲେ ଯେ ଏହା ହେଉଛି ଏକ ହେବିୟସ କର୍ପସ (ବନ୍ଦୀ ପ୍ରତ୍ୟକ୍ଷୀକରଣ) ପିଟିସନ। ଖଣ୍ଡପୀଠ କହିଲେ ଯେ, ବନ୍ଦୀଙ୍କୁ ଏକ ବୈଧ ଆଦେଶନାମା ବଳରେ ହାଜତରେ ରଖାଯାଇଛି। ଏଠି ହେବିୟସ କର୍ପସର ପ୍ରଶ୍ନ ଉଠୁଛି କୋଉଠୁ? ଏହାପରେ କୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ।

ସମ୍ବନ୍ଧିତ ଖବର