ଭିଡ଼ ହିଂସାର ଭିଡିଓ ଭାଇରାଲ ହେଲା ପରେ ସାମନାକୁ ଆସିଲା ସତ; ଭିଡ଼ ହିଂସା ଯେ କେତେ ଭୟାନକ ଓ ନିର୍ମମ ହୋଇପାରେ ତାହା ବୟାନ କରୁଛି ଭାଇରାଲ ଭିଡିଓ!

ଆରାରିଆ (ବିହାର): ଯେତେ ଯାହା କଲେ ବି ଥମିବାର ନାଁ ନେଉନାହିଁ ଭିଡ଼ ହିଂସା। କିଛିଦିନର ନିରବତା ପରେ ପୁଣି ଥରେ ଗତ ଡିସେମ୍ବର ୨୯ ତାରିଖ ରାତିରେ ବିହାରର ଆରାରିଆ ଠାରେ ଘଟି ଯାଇଛି ଏକ ଭିଡ଼ ହିଂସା। ଏହି ଭିଡ଼ ହିଂସାରେ ଶିକାର ହୋଇ ନିଜ ଜୀବନ ହରାଇଛନ୍ତି ମହମ୍ମଦ କାବୁଲ ନାମକ ଜନୈକ ୫୫ ବର୍ଷ ବୟସ୍କ ବୃଦ୍ଧ। ଗାଈଚୋର ସନ୍ଦେହରେ ଉତ୍ୟକ୍ତ ଲୋକେ ତାଙ୍କୁ ଧରିନେବା ସହ ଅତ୍ୟନ୍ତ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ।

ତେବେ, ସେହି ସମୟରେ ଉତ୍ତୋଳିତ ହୋଇଥିବା ଏହି ପୂରା ଘଟଣାକ୍ରମର ଭିଡିଓ ଚିତ୍ର ଗତ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ କେନ୍ଦ୍ର କରି ଏବେ ଦେଶବ୍ୟାପି ସୃଷ୍ଟି ହୋଇଛି ଆଲୋଡ଼ନ। କାରଣ, ଭିଡ଼ ହିଂସା ଯେ କେଉଁ ମାତ୍ରାରେ ନିର୍ମମ, ନିର୍ଦ୍ଦୟ ଓ ଭୟାନକ ହୋଇପାରେ ତାହା ବୟାନ କରୁଛି ଏହି ଭାଇରାଲ ଭିଡିଓର ଚିତ୍ର। ଅନ୍ୟ ପକ୍ଷରେ ଏହି ଭିଡ଼ ହିଂସା ଏବଂ ହତ୍ୟା ଘଟଣାକୁ ଏକ ସପ୍ତାହ ବତିବାକୁ ବସିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା କୌଣସି ଜଣେ ହେଲେ ଅଭିଯୁକ୍ତକୁ ଧରିବାରେ ବା ଗିରଫ କରିବାରେ ସମର୍ଥ ହୋଇପାରି ନାହିଁ ବିହାର ପୁଲିସ୍‌ ପ୍ରଶାସନ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବିହାରର ଆରାରିଆ ଗ୍ରାମରେ ଗତ ଡିସେମ୍ବର ୨୯ ତାରିଖ ବିଳମ୍ବିତ ରାତ୍ରରେ କେତେକ ଗ୍ରାମବାସୀ ମହମ୍ମଦ କାବୁଲ ନାମକ ଜନୈକ ୫୫ ବର୍ଷ ବ୍ୟକ୍ତିଙ୍କୁ ଗାଈଚୋର ସନ୍ଦେହରେ ଧରି ନେଇଥିଲେ। ଘଟଣା ସଂପର୍କରେ ଜାଣିବା ପରେ ସେହି ଗ୍ରାମର କିଛି ଉତ୍ୟକ୍ତ ଲୋକେ ସେଠାରେ ଏକତ୍ରିତ ହେବା ସହ ମହମ୍ମଦ କାବୁଲଙ୍କ ଉପରେ ନିର୍ଘାତ ମାଡ଼ ଆରମ୍ଭ କରି ଦେଇଥିଲେ। ମହମ୍ମଦ କାବୁଲ ଯେତେ କାକୁତିମିନତି ହୋଇ ଗାଈ ଚୋର ନଥିବା ସଫେଇ ଦେଲେ ମଧ୍ୟ ଉତ୍ୟକ୍ତ ଲୋକେ ତାଙ୍କର କୌଣସି କଥା ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ। ଉତ୍ୟକ୍ତ ଲୋକଙ୍କ ମାଡ଼ରେ ମହମ୍ମଦଙ୍କ ମୁତ୍ୟୁ ଘଟିଯିବା ପରେ ସେମାନେ ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରେ ଡିସେମ୍ବର ୩୧ ତାରିଖ ସକାଳୁ ଘଟଣା ସଂପର୍କରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମହମ୍ମଦଙ୍କ ମୃତ ଦେହକୁ ଜବତ କରିଥିଲା।

ତେବେ, ମହମ୍ମଦଙ୍କ ମୁତ୍ୟୁ ଭିଡ଼ ହିଂସା ଜନିତ ନୁହେଁ ବରଂ ଏକ ଅପମୁତ୍ୟୁ ଥିବା ଦର୍ଶାଇ ପୁଲିସ୍‌ ଏହି ଘଟଣାକୁ ଚାପି ଦେବାକୁ ବସିଥିଲା। ତେବେ, ସେଦିନ ସେହି ସମୟରେ ଉତ୍ତୋଳିତ ହୋଇଥିବା ଏହି ପୂରା ଘଟଣାକ୍ରମର ଭିଡିଓ ଚିତ୍ର ଗତ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଘଟଣା ପଛର ଅସଲ ସତ ସାମନାକୁ ଆସିବା ସହ ଏହାକୁ କେନ୍ଦ୍ର କରି ଏବେ ଦେଶବ୍ୟାପି ସୃଷ୍ଟି ହୋଇଛି ଆଲୋଡ଼ନ।

 

ସମ୍ବନ୍ଧିତ ଖବର