ଜନ୍ମାଷ୍ଠମୀରେ ମୋର ଜନ୍ମ ବୋଲି କହିଥିଲେ କେଜ୍ରିୱାଲ, ଦାବିକୁ ମିଛ ବୋଲି କହିଲା ବିଜେପି

ନୂଆଦିଲ୍ଲୀ: ଶନିବାର ଆମ ଆଦମୀ ପାର୍ଟି (ଆପ୍)  ନେତା ଅରବିନ୍ଦ କେଜ୍ରିଓ୍ବାଲ କହିଥିଲେ ଯେ ସେ କୃଷ୍ଣ ଜନ୍ମାଷ୍ଠମୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଭଗବାନ କୃଷ୍ଣ  କଂସର ବଂଶଧରମାନଙ୍କୁ ଶେଷ କରିବାକୁ ପଠାଇଛନ୍ତି । ହିନ୍ଦୁ ବିରୋଧୀ ବୋଲି ଗୁଜରାଟରେ ଲଗାଯାଇଥିବା ପୋଷ୍ଟରର ଜବାବରେ ସେ ଏକଥା କହିଥିଲେ । ତେବେ ରବିବାର ତାଙ୍କର ଜନ୍ମାଷ୍ଠମୀରେ ଜନ୍ମଗ୍ରହଣ ଦାବିକୁ ମିଛ ବୋଲି କହିଛି ବିଜେପି।

ଗୁଜରାଟରେ ବିଜେପି ରାଜ୍ୟ ସଭାପତି ସିଆର ପାଟିଲ କେଜ୍ରିୱାଲଙ୍କ ଦାବିକୁ ମିଥ୍ୟା ବୋଲି କହିଛନ୍ତି। ପାଟିଲ କହିଛନ୍ତି ଯେ, ସେ କେଜ୍ରିୱାଲଙ୍କ ଭଳି ମିଥ୍ୟାବାଦୀ କେବେ ଦେଖି ନାହାଁନ୍ତି। ପାଟିଲ ଦାବି କରିଛନ୍ତି ଯେ କେଜ୍ରିୱାଲ ଜନମାଷ୍ଟାମୀରେ ନୁହେଁ ଜନ୍ମାଷ୍ଟମୀର ଗୋଟିଏ ଦିନ ପରେ ଜନ୍ମ ହୋଇଥିଲେ।

ତାଙ୍କ କହିବା ମୁତାବକ, ସେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଏକ ଦାୟିତ୍ବପୂର୍ଣ୍ଣ ପଦବୀରେ ସେ ଅଛନ୍ତି। କିନ୍ତୁ ସେ ଯେପରି ମିଛ କହୁଛନ୍ତି, ତା’ ଉପରେ ପ୍ରତିକ୍ରିୟା ଦେବା ମୋ ପାଇଁ କଷ୍ଟକର। କେଜ୍ରିୱାଲ କହିଥିଲେ ଯେ, ସେ ଅଗଷ୍ଟ ୧୬, ୧୯୬୮ରେ ଜନ୍ମଗ୍ରହଣ କରିଥିଲେ। ହେଲେ ୧୯୬୮ରେ ଜନ୍ମାଷ୍ଟମୀ ଅଗଷ୍ଟ ୧୫ରେ ପଡ଼ିଥିଲେ। ଯଦି ସେ ନିଜ ଜନ୍ମଦିନକୁ ନେଇ ବି ମିଛ କହୁଛନ୍ତି, ତେବେ ତାଙ୍କ କଥାକୁ ନେଇ ମୁଁ କ’ଣ ଆଉ ପ୍ରତିକ୍ରିୟା ରଖିବି।

ତେବେ ଶନିବାର କେଜ୍ରିୱାଲ କହିଥିଲେ ଯେ, ଭଗବାନ ତାଙ୍କୁ ଏକ ସ୍ବତନ୍ତ୍ର ଦାୟିତ୍ବ ଦେଇ ପଠାଇଛନ୍ତି । ତାହା ହେଉଛି କଂସର ବଂଶଧରମାନଙ୍କୁ ଶେଷ କରିବା ଓ ଦୁର୍ନୀତି ଓ ଦଙ୍ଗାକାରୀଙ୍କୁ ଲୋପ କରିବା ପାଇଁ । ଇଶ୍ବରଙ୍କ ଇଚ୍ଛା ପୂରଣ କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବୁ | ଭଗବାନ ମୋ ସହିତ ଅଛନ୍ତି । ଲୋକମାନେ ବି ମୋ ସହିତ ଅଛନ୍ତି । ଲୋକମାନେ ଏକ ପରିବର୍ତ୍ତନ ଚାହୁଁଛନ୍ତି, ଯେଉଁଥିପାଇଁ ସେମାନେ ଏତେ ବିବ୍ରତ ଅଛନ୍ତି।

ସମ୍ବନ୍ଧିତ ଖବର