ଡକାୟତି ଉଦ୍ୟମବେଳେ ୭ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ସମଗ୍ର ସହର ଗଜଲକ୍ଷ୍ମୀ ପୂଜାରେ ବ୍ୟସ୍ତ ଥିବାର ସୁଯୋଗ ନେଇ ଏକ ବଡ଼ଧରଣର ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍ଗର ୭ଜଣ ସଦସ୍ୟ ଖୋର୍ଦ୍ଧା ଟାଉନ ଥାନା ପୁଲିସ ହାତରେ ଗିରଫ ହୋଇଛନ୍ତି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଏସ୍ଆଇ ସୁକାନ୍ତ କୁମାର ଦଳେଇ, ସସ୍ମିତା ବେହେରା, ଏଏସ୍ଆଇ ପିକେ ପ୍ରଧାନ ପ୍ରମୁଖ ପାଟ୍ରୋଲିଂ ଦାୟିତ୍ୱରେ ଥିବା ବେଳେ ତୋଟାପଡ଼ା-ରେଳ ଷ୍ଟେସନ ସଂଯୋଗ ରାସ୍ତାରେ କେତେକ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ଏକଜୁଟ ହୋଇଥିବା ସୂଚନା ପାଇଥିଲେ। ଏନେଇ ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦଙ୍କୁ ସୂଚିତ କରିବା ପରେ ଏସ୍ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିଦେ୍ର୍ଦଶରେ ଏସ୍ଡିପିଓ ଦିଲିପ କୁମାର ଦାସଙ୍କ ତତ୍ୱାବଧାନରେ ଆଇଆଇସିଙ୍କ ନେତୃତ୍ୱରେ ଚଢ଼ଉ କରିବାକୁ ଯୋଜନା ହୋଇଥିଲା। ଯେପରି ଗ୍ୟାଙ୍ଗର ସମସ୍ତ ସଦସ୍ୟ ଖସି ପଳାଇନ ଯିବେ ସେନେଇ ସତର୍କତା ସହକାରେ ଚଢ଼ଉ ଟିମ୍ର ସଦସ୍ୟମାନେ ଚାରିପଟରୁ ଘେରିଥିଲେ। ଏକ ନମ୍ବର ବିହୀନ ମହେନ୍ଦ୍ରା ଏକ୍ସୟୁଭି ନିକଟରେ ଜମା ହୋଇଥିବା ବ୍ୟକ୍ତିଙ୍କ ନିକଟରେ ଦୁଇଜଣ ପୁଲିସ ଅଧିକାରୀ ପହଞ୍ଚି ପ୍ରଥମେ ଉପସ୍ଥିତ ବ୍ୟକ୍ତିଙ୍କ ପରିଚୟ ମାଗିଥିଲେ। ତେବେ ପରିଚୟ ଦେବା ବଦଳରେ ପୁଲିସକୁ ଆକ୍ରମଣ କରି ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଚାରିପଟେ ଛପି ରହିଥିବା ପୁଲିସ ଟିମ୍ ମାଡ଼ି ବସି ୭ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।

କାରରୁ ୮୦ ହଜାର ଟଙ୍କା ନଗଦ, ଦୁଇଟି କାତି, ଗୋଟିଏ ଲୁହା ଛଡ଼, ପିଭିସି ପାଇପ୍, ଠେଙ୍ଗା ଆଦି ଜବତ କରିଥିଲେ। ଏନେଇ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ପଚରାଉଚୁରାରେ ସେମାନେ ୧୬ ନମ୍ବର ଜାତୀୟ ରାଜପଥ ଓ ସଂଲଗ୍ନ ଘରେ ଏକାଧିକ ଡକାୟତି ଓ ଚୋରି କରିବାକୁ ଯୋଜନା କରିଥିବା ସ୍ୱୀକାର କରିଛନ୍ତି। ଗିରଫ ହୋଇଥିବା ଯୁବକମାନେ ହେଲେ, ବେଗୁନିଆ କୁଶପଲ୍ଲାର ସେକ୍ ଜାଫର ଓରଫ ରାଜା (୨୭), ଖୋର୍ଦ୍ଧା ତରତୁଆର ଅଲିମ ଖାଁନ (୨୧), ଭୁବନେଶ୍ୱର ଯଦୁପୁରର ଅବଦୁଲ ଜାହିର ଖାଁନ (୨୫), ଖଣ୍ଡଗିରି ଡୁମଡୁମାର ମହମ୍ମଦ ସାଜିଦ (୨୬), ବେଗୁନିଆ କୁଶପଲ୍ଲାର ଶୁଭମ ମହାପାତ୍ର (୨୧) ଓ ପ୍ରତାପ କୁମାର ସାହୁ (୨୨), ଖୋର୍ଦ୍ଧା ବାସେଳି ସାହିର ସୁଦର୍ଶନ ବେହେରା (୪୧)। ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳକୋଡ୍ର ଧାରା ୩୯୯, ୪୦୨ ଓ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ଗରିଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର