ପର୍ଯ୍ୟଟକଙ୍କୁ ନିଜ ଦେଶ ପ୍ରତି ଆକୃଷ୍ଟ କରିବାକୁ ୫ ଲକ୍ଷ ବିମାନ ଟିକେଟ ମାଗଣାରେ ବାଣ୍ଟିପାରେ ଏହି ଦେଶ

ହଂକଂ: କରୋନା ମହାମାରୀ ପରେ ନିଜ ଦେଶ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବାକୁ ଏକ ବଡ ଯୋଜନା ଉପରେ କାର୍ଯ୍ୟ କରୁଛି ହଂକଂ ପ୍ରଶାସନ | ମିଳିଥିବା ସୂଚନା ମୁତାବକ ହଂକଂ ୫ ଲକ୍ଷ ମାଗଣା ବିମାନ ଟିକେଟ ଦେବାକୁ ଯୋଜନା କରୁଛି। କରୋନା ପରେ ପର୍ଯ୍ୟଟକଙ୍କୁ ଦେଶକୁ ନିମନ୍ତ୍ରଣ କରିବା ପାଇଁ ଏହି ପ୍ରସ୍ତୁତି ଚାଲିଛି | କୋଭିଡ ମହାମାରୀ ଦ୍ୱାରା ହଂକଂର ପର୍ଯ୍ୟଟନ ଶିଳ୍ପ ପୁରା କ୍ଷତିଗ୍ରସ୍ତ ହୋଇଥିଲା। ଚୀନ୍‌ର ଶୂନ୍ୟ-କୋଭିଡ୍‌ ନୀତି ଯୋଗୁଁ ହଂକଂରେ ବିଶ୍ୱରେ କଠୋର କ୍ଵାରେଣ୍ଟିନ ନିୟମ ଦୀର୍ଘ ଦିନ ଧରି ରହିଥିଲା। କିନ୍ତୁ ଗତ ମାସରେ ହଂକଂ ଘୋଷଣା କରିଥିଲା ​​ଯେ ହଂକଂକୁ ଆସିବାକୁ ହେଲେ ପର୍ଯ୍ୟଟକମାନଙ୍କୁ ପାଇଁ ହୋଟେଲ କ୍ଵାରେଣ୍ଟିନ କିମ୍ବା କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ଆଉ ଆବଶ୍ୟକ ହେବ ନାହିଁ।

ଆଉ ବର୍ତ୍ତମାନ ହଂକଂର ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବର୍ତ୍ତମାନ ୨୫୪.୮ ନିୟୁତ ଡଲାରର ବିମାନ ଟିକେଟ ଯୋଗାଇବାକୁ ହଂକଂ ପ୍ରଶାସନ ଯୋଜନା କରୁଛି। ୨୦୨୦ ମସିହାରେ ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନ ଶିଳ୍ପକୁ ଆଶ୍ବସ୍ତି ଦେବା ପାଇଁ ଘରୋଇ ବିମାନ କମ୍ପାନୀରୁ ଆଗୁଆ ୫ ଲକ୍ଷ ବିମାନ ଟିକେଟ କିଣିଥିଲେ। ଆଉ ବର୍ତ୍ତମାନ ଏହି ଟିକେଟ୍ ପର୍ଯ୍ୟଟନ ବଜାରକୁ ପୁନର୍ଜୀବିତ କରିବା ପାଇଁ ପର୍ଯ୍ୟଟକଙ୍କୁ ମାଗଣାରେ ଦିଆଯିବ। ତେବେ ବିମାନ ସେବା ଯୋଗାଉଥିବା କମ୍ପାନୀମାନଙ୍କ ସହିତ ଅଧିକ ଆଲୋଚନା ପରେ ହଂକଂ ପର୍ଯ୍ୟଟନ ବୋର୍ଡ ଏନେଇ ଘୋଷଣା କରିବ। ହଂକଂ ପର୍ଯ୍ୟଟନ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାଙ୍ଗ-ଚାଙ୍ଗ କହିଛନ୍ତି ଯେ ମହାମାରୀ ସମୟରେ କିଣାଯାଇଥିବା ଟିକେଟ୍ ଆସନ୍ତା ବର୍ଷ ହଂକଂକୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ମାଗଣାରେ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର