ଗୁରୁଗ୍ରାମରେ ବଡ଼ ଦୁର୍ଘଟଣା: ପ୍ରାୟ ୬ଜଣ ପିଲା ବୁଡ଼ିଯାଇଥିବା ଆଶଙ୍କା, ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ରବିବାର ଦିନ ହରିୟାଣାର ଗୁରୁଗ୍ରାମ ଜିଲ୍ଲାରେ ଥିବା ସେକ୍ଟର-୧୧୧ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବର୍ଷା ପରେ ପୋଖରୀରେ ଗାଧୋଇବାକୁ ଯାଇଥିବା ପ୍ରାୟ ୬ଜଣ ପିଲା ବୁଡ଼ିଯାଇଥିବା ନେଇ ଆଶଙ୍କା କରାଯାଉଛି। ଉଦ୍ଧାକାରୀ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବା ବେଳେ ପିଲାମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ ଶିଶୁ ନିକଟସ୍ଥ କଲୋନୀ ଶଙ୍କର ବିହାରର ବାସିନ୍ଦା ବୋଲି କୁହାଯାଉଛି। ପୋଖରୀରେ ଗାଧୋଇବାକୁ ଯାଇଥିବା ପିଲାମାନଙ୍କର ପୋଷାକ ବାହାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହାକୁ ଦେଖି ପ୍ରାୟ ୬ଜଣ ପିଲା ପୋଖରୀ ଭିତରକୁ ଯାଇଥିବା ସନ୍ଦେହ କରାଯାଉଛି।

ଡିସିପି ଦୀପକ ସାହାରନ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ, ଲଗାତାର ବର୍ଷା ହେତୁ ଗାଁର ଏକ ପୋଖରୀ ପାଣିରେ ଭରି ରହିଛି। ବର୍ଷା ଛାଡ଼ିବା ପରେ ଗାଧୋଇବାକୁ ଆସିଥିବା ପିଲାମାନେ ପାଣି ଅଧିକ ଥିବା ଜାଣି ନପାରି ଭିତରକୁ ଯାଇଥିବାରୁ ବୁଡ଼ିଯାଇଥିବା ଆଶଙ୍କା କରାଯାଉଛି। ମିଳିଥିବା ପୋଷାକରୁ ପ୍ରାୟ ୬ଜଣ ପିଲା ପୋଖରୀକୁ ଯାଇଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି। ଉଦ୍ଧାରକାରୀ ଦଳ ପାଣିରେ ଥିବା ଅନ୍ୟ ପିଲାମାନଙ୍କୁ ଖୋଜୁଛନ୍ତି।

ସମ୍ବନ୍ଧିତ ଖବର