ବିଜେପିର ୧୫ତମ ପ୍ରାର୍ଥୀ ତାଲିକା: ପୁନମ୍‌ଙ୍କ ଟିକେଟ୍ କଟିଲା, କସାବ୍ ବି‌ରୋଧରେ ଲଢ଼ିଥିବା ଓକିଲଙ୍କୁ ବିଜେପି ଟିକେଟ୍

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ୧୫ତମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକାରେ ଦଳ ପକ୍ଷରୁ ପୁନମ୍ ମହାଜନଙ୍କ ଟିକେଟ୍ କଟାଯାଇଛି। କିନ୍ତୁ ତାଲିକାରେ ଆତଙ୍କବାଦୀ ଅଜମଲ କସାବ୍ ବିରୋଧରେ ଲଢ଼ିଥିବା ଓକିଲ ଉଜ୍ଜ୍ବଲ ନିକମଙ୍କୁ ମୁମ୍ବାଇ ନର୍ଥ ସେଣ୍ଟ୍ରାଲ ଲୋକସଭା ଆସନରୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି।

ଉଜ୍ଜ୍ବଲ ନିକମ କସାବକୁ ଫାଶୀ ଦେବା ସହ ୧୯୯୩ ବୋମା ବିସ୍ଫୋରଣ, ଗୁଲସନ କୁମାର ହତ୍ୟାକାଣ୍ଡ ଏବଂ ପ୍ରମୋଦ ମହାଜନ ହତ୍ୟାକାଣ୍ଡ ଭଳି ହାଇ ପ୍ରୋଫାଇଲ ମାମଲାରେ ସରକାରୀ ଓକିଲ ଭାବେ ଲଢ଼ିଥିଲେ।

ନିକାମ ଆତଙ୍କବାଦ ସମ୍ବନ୍ଧୀୟ ମାମଲାର ଗୁରୁ ବୋଲି କୁହାଯାଉଛି। ତାଙ୍କ ବିଷୟରେ କୁହାଯାଉଛି କୌଣସି ଅପରାଧୀ ସେ ଗ୍ରହଣ କରୁଥିବା ମାମଲାରେ କେବେ ରକ୍ଷା ପାଇପାରି ନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬୨୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଏବଂ ୩୭ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ୨୬/୧୧ ମାମଲାରେ ଜୀବନ୍ତ ଧରାପଡିଥିବା ଆତଙ୍କବାଦୀ ଅଜମଲ କସାବ୍ ମାମଲା ଦାଏର ହେବାପରେ ନିକାମ ପ୍ରଥମ ଥର ପାଇଁ ଚର୍ଚ୍ଚାର ବିଷୟ ପାଲଟିଥିଲେ।

ପୁନମ୍ ମହାଜନ ପିତା ପ୍ରମୋଦ ମହାଜନଙ୍କ ହତ୍ୟାପରେ ୨୦୦୬ରେ ବିଜେପିରେ ସାମିଲ ହୋଇଥିଲେ। ୨୦୦୯ରେ ସେ ପ୍ରଥମ ଥର ପାଇଁ ଘାଟକୋପର ୱେଷ୍ଟରୁ ସାଂସଦ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୧୪ରେ ମୁମ୍ବାଇ ନର୍ଥ ସେଣ୍ଟ୍ରାଲ ଲୋକସଭା ଆସନରୁ ଲଢ଼ି କଂଗ୍ରେସର ପ୍ରିୟା ଦତ୍ତଙ୍କୁ ପରାଜିତ କରିଥିଲେ। ପୁନମ୍ ଜଣେ ତାଲିମ୍‌ପ୍ରାପ୍ତ ପାଇଲଟ। ତାଙ୍କର ତାଲିମ୍ ଆମେରିକାର ଟେକ୍ସାସରେ ହୋଇଥିଲା। ତାଙ୍କର ୩୦୦ ଘଣ୍ଟାର ଫ୍ଲାଇଙ୍ଗ୍ ଅଭିଜ୍ଞତା ରହିଛି। ସେ ବାଇଟନ୍ ସ୍କୁଲ୍ ଅଫ୍ ବିଜନେସ୍ ଆଣ୍ଡ୍ ମ୍ୟାନେଜମେଣ୍ଟରୁ ବିଟେକ୍ ଡିଗ୍ରୀ ୨୦୧୨ରେ ହାସଲ କରିଥିଲେ।

ସମ୍ବନ୍ଧିତ ଖବର