ବିନା ଟିଉସନ୍‌ରେ ୫୦୦ରୁ ୪୯୯ ନମ୍ବର ରଖି ସିବିଏସ୍‌ଇ ଦ୍ୱାଦଶ ଟପ୍ପର ହେଲେ ମେଘନା, ସୋସିଆଲ୍‌ ମିଡିଆଠାରୁ ବି ରହିଥିଲେ ଦୂରରେ..

ନୂଆଦିଲ୍ଲୀ : ଆଜି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଦୁଇ ଦିନ ପରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରିବାର ସୂଚନା ରହିଛି। ତେବେ ଦ୍ୱାଦଶ ପରୀକ୍ଷା ଫଳରେ ପାସ ହାର ପୂର୍ବ ବର୍ଷ ୮୨.୦୨ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ଏହା ବଢ଼ିବା ସହ ୮୩.୦୧ ପ୍ରତିଶତ ହୋଇଛି । ଏଥିରେ ଗାଜିଆବାଦ ଷ୍ଟେପ୍‌ ବାଏ ଷ୍ଟେପ୍‌ ବିଦ୍ୟାଳୟର ମେଘନା ଶ୍ରୀବାସ୍ତବ ୫୦୦ ରୁ ୪୯୯ ନମ୍ବର ରଖି ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ମେଘନା ଗଣମାଧ୍ୟମରେ ତାଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଛନ୍ତି ।

ମେଘନା ଦ୍ୱାଦଶ ପରୀକ୍ଷାରେ ଟପ୍ପର ହେବା ପରେ ମନୋବିଜ୍ଞାନରେ ନିଜର କ୍ୟାରିୟର କରିବା ପାଇଁ ଇଛା ପ୍ରକାଶ କରିଛନ୍ତି । ଏହା ସହ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସମସ୍ୟା ଆଦି ବିଷୟ ଉପରେ କାମ କରିବା ପାଇଁ ଚାହୁଁଛନ୍ତି । ପରୀକ୍ଷାର ପ୍ରସ୍ତୁତିରେ ତାଙ୍କ ମାତାପିତା ବହୁତ ସାହାଯ୍ୟ କରୁଥିବା ସେ କହିଛନ୍ତି। ଏଥିସହ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରର ଟିଉସନ୍‌ ଗ୍ରହଣ କରି ନ ଥିବା କହିଛନ୍ତି ମେଘନା । “ ମୁଁ ବୋର୍ଡ ପରୀକ୍ଷାର ପ୍ରସ୍ତୁତି ପାଇଁ ପୂରା ବର୍ଷ କଠିନ ପରିଶ୍ରମ କରିଥିଲି । ପାଠପଢ଼ାରୁ ମୋର ଧ୍ୟାନ ନ ଯିବା ପାଇଁ ସୋସିଆଲ ମିଡ଼ିଆରୁ ସଂପୂର୍ଣ୍ଣ ଭାବେ ଦୂରରେ ରହିଥିଲି । ମନ ଧ୍ୟାନ ଦେଇ ଯେକୌଣସି ବ୍ୟକ୍ତି ବର୍ଷ ସାରା ପଢ଼ିଲେ ତାଙ୍କର ଏତିକି ନମ୍ବର ଆସିଯିବ।”

ସମ୍ବନ୍ଧିତ ଖବର