ନୂଆଦିଲ୍ଲୀ : ଓଡ଼ିଶା ସମେତ ଛତିଶଗଡ଼, ଗୁଜରାଟ, ରାଜସ୍ଥାନ ଓ ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଗତି କାର୍ଯ୍ୟ ସନ୍ତୋଷଜନକ ଥିବା କେନ୍ଦ୍ର ଖଣି ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଅନ୍ତର୍ଗତ ଦେଶର ୨୧ଟି ଖଣିଭିତ୍ତିକ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୫,୧୮୨.୩୨ କୋଟି ଟଙ୍କା ସଂଗ୍ରହ କରାଯାଇଛି। କୋଇଲା ଓ ଲିଗ୍ନାଇଟ୍ରୁ ୧,୫୭୪.୪୮ କୋଟି, ପ୍ରମୁଖ ଖଣିଜରୁ ୩,୫୮୩.୧୫ କୋଟି ଓ ମାଇନ୍ସ ମିନେରାଲ୍ସରୁ ୨୪.୬୪ କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ଅନ୍ତର୍ଗତ ସଂଗ୍ରହ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର କ୍ରିୟାନ୍ବୟନରେ ପ୍ରଗତି ହେଉଥିବା କୁହାଯାଉଥିବା ବେଳେ ଏହି ଯୋଜନା ଅନ୍ତର୍ଗତ ଆଦାୟ କରାଯାଇଥିବା ଅର୍ଥରାଶିର ଖର୍ଚ୍ଚ ପରିମାଣ ସନ୍ତୋଷଜନକ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଅନ୍ତର୍ଗତ ଆଦାୟ କରାଯାଇଥିବା ୫,୧୮୨.୩୨ କୋଟି ଟଙ୍କାରୁ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ପାଇଁ ୩,୭୭୪.୭୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
େକନ୍ଦ୍ର ଖଣି ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଆବଣ୍ଟନ କରାଯାଇଥିବା ୩,୭୭୪.୭୯ କୋଟି ଟଙ୍କାରୁ ୨୦୧୮ ଅଗଷ୍ଟ ସୁଦ୍ଧା ମାତ୍ର ୭୫୭.୫୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହା କି ୧୪.୬୨ ପ୍ରତିଶତ। କେନ୍ଦ୍ର ଖଣି ମନ୍ତ୍ରାଳୟ ରିପୋର୍ଟରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପର ସ୍ଥିତି ସଂପର୍କରେ ଉଲ୍ଲେଖ କରାଯାଇଛି। ଓଡ଼ିଶାରେ ୨୦୧୮ ଅଗଷ୍ଟ ସୁଦ୍ଧା ୮,୨୮୩ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିବା ବେଳେ ୨,୮୭୨ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇସାରିଛି। ସେହିଭଳି ୩,୪୧୭ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଥିବା ବେଳେ ୧,୯୯୪ ପ୍ରକଳ୍ପର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇନାହିଁ। ଚଳିତମାସ ୧୨ ତାରିଖରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଦ୍ବାରା ଓଡ଼ିଶା ସମେତ ୨୧ଟି ରାଜ୍ୟ ପ୍ରତିନିଧିଙ୍କ ସହ ବୈଠକ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ବୈଠକରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ େଯାଜନାର କାର୍ଯ୍ୟକାରିତା ସମେତ ମୋଟ ୯ଟି ପ୍ରସଙ୍ଗରେ ଆଲୋଚନା କରାଯିବ।