ପାକିସ୍ତାନରେ ଚୀନ ନାଗରିକଙ୍କ ଉପରେ ଗୁଳିମାଡ, ଜଣଙ୍କର ମୃତ୍ୟୁ

ଲାହୋର: ପାକିସ୍ତାନର କରାଚିରେ ଆଜି ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଚୀନ୍ ନାଗରିକଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଜଣେ ଚୀନ୍ ନାଗରିକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଚୀନ୍ ନାଗରିକଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ଘଟଣା କରାଚି ସହରର ସଦର ଅଞ୍ଚଳରେ ଘଟିଥିବାର କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୀନ ନାଗରିକଙ୍କ ମୃତଦେହକୁ ଜବତ କରିଥିଲା ​​ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି । ମିଳିଥିବା ସୂଚନା ମୁତାବକ କରାଚିର ସଦର ଅଂଚଳରେ ଏକ କ୍ଲିନିକକୁ ତିନି ଜଣ ଚୀନ ନାଗରିକ ଆସିଥିଲେ | ଆଉ ଏଠାକୁ ଜଣେ ଅଜ୍ଞାତ ଆକ୍ରମଣକାରୀ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ଯେଉଁଥିରେ ଚୀନ୍ ନାଗରିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି | ପୁଲିସ୍ ନିଶ୍ଚିତ କରିଛି ଯେ ଆକ୍ରମଣର ଶିକାର ହୋଇଥିବା ତିନିଜଣ ଚାଇନାର ନାଗରିକ ହୋଇଥିବାବେଳେ ଏବାବଦରେ ଅନୁସନ୍ଧାନ କରାଯାଉଛି। ତେବେ କରାଚିରେ ଚୀନ୍ ନାଗରିକଙ୍କ ହତ୍ୟା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଏପ୍ରିଲ ମାସରେ ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟର କନଫୁସିୟସ ସେଣ୍ଟରରେ ଆତ୍ମଘାତୀ ଆକ୍ରମଣରେ ତିନିଜଣ ଚୀନ୍ ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା। ଗତ ବର୍ଷ ଖାଇବର ପାଖ୍ଟନଖୱାଠାରେ ହୋଇଥିବା ବିସ୍ଫୋରଣରେ ଦଶ ଜଣ ଚୀନ୍ ନାଗରିକ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର