ବାପା ସୁପ୍ରିମକୋର୍ଟ ବିଚାରପତିଙ୍କ ରୋଷେୟା, ଝିଅକୁ ଆମେରିକାରୁ ମିଳିଲା ୪୧ ଲକ୍ଷର ଛାତ୍ରବୃତ୍ତି, ଜାଣନ୍ତୁ ଓଡ଼ିଆ ଝିଅ ପ୍ରଜ୍ଞାଙ୍କ ସଫଳତାର କାହାଣୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଣେ ବିଚାରପତିଙ୍କ ବାସଭବନରେ କାମକରୁଥିବା ଓଡ଼ିଆ ରୋଷେୟା ଅଜୟ କୁମାର ସାମଲଙ୍କ ଝିଅ ପ୍ରଜ୍ଞା ସାମଲଙ୍କ ପ୍ରସଂଶା କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ । ପ୍ରଜ୍ଞାଙ୍କୁ ଆମେରିକାର ୪ଟି ପ୍ରସିଦ୍ଧ ଲ’ସ୍କୁଲରୁ ଏଲଏଲଏମରେ ନାମ ଲେଖାଇବାକୁ ଅଫର ମିଳିଛି । ସେହିପରି ତାଙ୍କୁ ପ୍ରାୟ ୪୧ ଲକ୍ଷ ଟଙ୍କାର ବୃତ୍ତି ମଧ୍ୟ ପ୍ରଦାନ କରାଯାଇଛି ।

ଏହି ସଫଳତା ପାଇଁ ନିକଟରେ ସୁପ୍ରିମ୍ କୋର୍ଟ ବାର୍ ଆସୋସିଏସନ୍ ପ୍ରଜ୍ଞାଙ୍କୁ ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଥିଲା। ଯେଉଁଥିରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଓ ସୁପ୍ରିମକୋର୍ଟର ବିଚାରପତିମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ଅବସରରେ ବିଚାରପତିମାନେ ପ୍ରଜ୍ଞାଙ୍କ ପିତାମାତାଙ୍କୁ ଶାଲ ପ୍ରଦାନ କରିବା ସହ ତିନୋଟି ଅଟୋଗ୍ରାଫ୍ ଥିବା ବହି ମଧ୍ୟ ଉପହାର ଦେଇଥିଲେ ।

ଏହି ସମୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ ଯେ ସୁପ୍ରିମ୍ କୋର୍ଟରେ କାମ କରିବାର ସୁଯୋଗ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ କିପରି ଏତେ ଭଲ ସୁଯୋଗ ଆଣିପାରିବ ତାହା ପ୍ରକୃତରେ ଉଲ୍ଲେଖନୀୟ।

ପ୍ରଜ୍ଞା ବର୍ତ୍ତମାନ ସୁପ୍ରିମ୍ କୋର୍ଟର ସେଣ୍ଟର ଫର୍ ରିସର୍ଚ୍ଚ ଆଣ୍ଡ ପ୍ଲାନିଂରେ ଆଇନ ଗବେଷକ ଭାବେ କାର୍ଯ୍ୟ କରୁଛନ୍ତି। ଆମେରିକାର କଲମ୍ବିଆ ଲ’ ସ୍କୁଲ ଏବଂ ୟୁନିଭର୍ସିଟି ଅଫ୍ ପେନ୍ସିଲଭାନିଆ କ୍ୟାରି ଲ’ ସ୍କୁଲ୍ ତାଙ୍କୁ ଏଲ୍ଏଲ୍ଏମ୍ ପ୍ରଦାନ କରିଛି। ଏହାବ୍ୟତୀତ ପ୍ରଜ୍ଞାଙ୍କୁ ଚିକାଗୋ ଲ’ ସ୍କୁଲ, ନ୍ୟୁୟର୍କ ୟୁନିଭର୍ସିଟି, ବର୍କଲେ ଲ’ ଏବଂ ମିଚିଗାନ୍ ଲ’ ସ୍କୁଲରୁ ମଧ୍ୟ ଆଡମିସନ ଅଫର ମିଳିଛି। ଏପରିକି ମିଚିଗାନ୍ ଲ’ ସ୍କୁଲ ତାଙ୍କୁ ୫୦,୦୦୦ ଡଲାର (ପାଖାପାଖି ୪୧ ଲକ୍ଷ ଟଙ୍କା)ର ସ୍କଲାରସିପ୍ ପ୍ରଦାନ କରିଛି।

 

ସମ୍ବନ୍ଧିତ ଖବର