ଶ୍ରୀଲଙ୍କାରେ ୨୧ ଭାରତୀୟ ଗିରଫ: ବୁଲିବାକୁ ଯାଇ କରୁଥିଲେ ବ୍ୟବସାୟ

କଲମ୍ବୋ: ଶ୍ରୀଲଙ୍କାରେ ୨୧ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି। ସେମାନେ ପର୍ଯ୍ୟଟକ ଭିସାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଭାରତୀୟମାନେ ଶିଥିଲ ପର୍ଯ୍ୟଟକ ଭିସା ମାନଦଣ୍ଡର ଅବମାନନା କରି ବେଆଇନ ଭାବେ ଅନଲାଇନ ବିପଣନ କେନ୍ଦ୍ର ସଂଚାଳନ କରୁଥିଲେ ବ‌ୋଲି ଶ୍ରୀଲଙ୍କା ଅଧିକାରୀମାନେ ପ୍ରକାଶ କରିଛନ୍ତି। ବୁଧବାର ଏକ ମିଡ଼ିଆ ରିପୋର୍ଟରେ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବୟସ ୨୪ରୁ ୨୫ ବର୍ଷ ମଧ୍ୟରେ। ସେମାନେ ପର୍ଯ୍ୟଟକ ଭିସାରେ ଶ୍ରୀଲଙ୍କା ଯିବା ପରେ ସେଠାରେ ଏଭଳି କାର୍ଯ୍ୟ କରୁଥିଲେ। ସେମାନଙ୍କୁ ଶ୍ରୀଲଙ୍କା ପ୍ରବାସନ ବିଭାଗ ପକ୍ଷରୁ ଗିରଫ କରାଯାଇଛି।
ପ୍ରାଥମିକ ତଦନ୍ତ ପରେ ପ୍ରବାସନ ବିଭାଗ ପକ୍ଷରୁ ନିଗୋମ୍ବେ ସହରର ଏକ ଭଡ଼ାଘରେ ଚଢ଼ାଉ କରାଯାଇଥିଲା। ସେଠାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଏକ ଅନଲାଇନ ମାର୍କେଟିଂ କେନ୍ଦ୍ର ଚଳାଉଥିଲେ। ଭଡ଼ାଘରକୁ ଏକ ଅଫିସରେ ପରିଣତ କରାଯାଇଥିଲା। ସେଠାରେ କମ୍ପ୍ୟୁଟର ଏବଂ ଅନ୍ୟ ଉପକରଣ ସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଥିଲା।

ଖବର ମିଳିବା ପରେ ଶ୍ରୀଲଙ୍କ ପ୍ରବାସନ ବିଭାଗ ପକ୍ଷରୁ ଆବଶ୍ୟକ ଯାଞ୍ଚ୍ କରାଯାଇଥିଲା। ଏହା ପରେ ଏକ ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତମାନେ ରହୁଥିବା ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଘରୁ ମିଳିଥିବା କମ୍ପ୍ୟୁଟର ଏବଂ ଅନ୍ୟ ଉପକରଣ  ତଥା ଆପତ୍ତିଜନକ କାଗଜପତ୍ରକୁ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପରେ ଅଧିକାରୀମାନେ ପଚରା ଉଚରା ଜାରି ରଖିଛନ୍ତି। ସେମାନେ ପର୍ଯ୍ୟଟକ ଭିସାରେ ଆସି କାହିଁକି ଏଭଳି କରୁଥିଲେ ତାହାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର