ଭାରତରେ ଅକ୍ସଫୋର୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିସ କଲା ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ଟିକା କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମିଳିଛି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ଏକ ବିଶେଷଜ୍ଞ କମିଟି ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସରକାରଙ୍କୁ ସୁପାରିସ କରିଛି ।

ଭାରତରେ ଏହି ଟିକା ପ୍ରସ୍ତୁତ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ ଇତି ମଧ୍ୟରେ ଏହି ଟିକାର ପ୍ରାୟ ୫ କୋଟି ଡୋଜ ଉତ୍ପାଦନ କରି ଗଚ୍ଛିତ ରଖିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆସନ୍ତା ଶନିବାର ସୁଦ୍ଧା ଏସବୁ ଟିକା ବିଭିନ୍ନ ରାଜ୍ୟମାନଙ୍କୁ ପ୍ରେରଣ ଆରମ୍ଭ କରାଯିବ । ଆସନ୍ତାକାଲି ଅର୍ଥାତ ୨ ତାରିଖରୁ ଦେଶର ପ୍ରତି ରାଜ୍ୟରେ କରୋନା ଟିକାକରଣର ଡ୍ରାଏରନ ବା ରିହର୍ସାଲ୍ ହେବ ।

ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ବାଲା କହିଛନ୍ତି ଯେ ଭାରତ ସରକାରଙ୍କ ପାଇଁ କୋଭିସିଲ୍ଡ ଟିକାର ମୂଲ୍ୟ ୩ ଡଲାର ରହିବ । ପରିବହନ ଖର୍ଚ୍ଚ ମିଶାଇଲେ ଏହାର ମୂଲ୍ୟ ବ୍ୟକ୍ତି ପିଛା ୬ ଡଲାର ( ୪୪୦ ଟଙ୍କା) ହେବ । ତେବେ ଘରୋଇ ବଜାରରେ ଏହାର ମୂଲ୍ୟ ୭୦୦-୮୦୦ ଟଙ୍କା ରହିବ ।

ଆସନ୍ତା ଏକ ସପ୍ତାହ ମଧ୍ୟରେ ପ୍ରାୟ ୧୦ କୋଟି ଟିକା ଉତ୍ପାଦନ କରି ଗଚ୍ଛିତ ରଖିବାକୁ ସେରମ ଇନଷ୍ଟିଚ୍ୟୁଟ ଲକ୍ଷ୍ୟ ରଖିଛି । ସେରମ  ଏହି ଟିକା ସମ୍ପର୍କରେ ସବିଶେଷ ତଥ୍ୟ ବିଶେଷଜ୍ଞ କମିଟି ନିକଟରେ ରଖିଥିଲା । ଏହି ବିଶେଷଜ୍ଞ କମିଟି ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକା ଉପରେ ମଧ୍ୟ ସମୀକ୍ଷା ଜାରିରଖିଛି ।

ସମ୍ବନ୍ଧିତ ଖବର