ଆଗାମୀ ୧୦ଦିନ ପର୍ଯ୍ୟନ୍ତ ଅଯୋଧ୍ୟା ନଆସିବାକୁ ଭିଭିଆଇପିଙ୍କୁ ଅନୁରୋଧ କଲେ ସରକାର

ନୂଆଦିଲ୍ଲୀ: ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଥିଲା। ପ୍ରାଣପ୍ରତିଷ୍ଠା ପରେ ସାଧାରଣ ଲୋକ ଜାନୁଆରି ୨୩ ତାରିଖରୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି।

ଗତମଙ୍ଗଳବାର ୫ଲକ୍ଷ ଲୋକ ରାମଲଲ୍ଲାଙ୍କ ଦର୍ଶନ କରିଥିଲେ। ଏହି ସମୟରେ ଭିଡ ଅସମ୍ଭାଳ ହେବାରୁ ଦର୍ଶନକୁ  କିଛି ସମୟ ପାଇଁ ଅଟକାଇ ପୁଲିସ-ପ୍ରଶାସନ ଭିଡକୁ ଆୟତ୍ତକୁ ନେଇଥିଲା। ତେବେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଜାନୁଆରି ୨୪ ତାରିଖରେ ଉତ୍ତରପ୍ରଦେଶ ସରକାର ଅଯୋଧ୍ୟା ଆସିବାକୁ ଥିବା ଭିଭିଆଇପିଙ୍କୁ ଏକ ଅନୁରୋଧ କରିଛନ୍ତି।

ସରକାର ଅନୁରୋଧ କରି କହିଛନ୍ତି କି, ଯେଉଁ ଭିଭିଆଇପିମାନେ ଅଯୋଧ୍ୟା ଆସିବାକୁ ଯୋଜନା ରଖିଛନ୍ତି ସେମାନେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତାହାକୁ ସ୍ଥଗିତ ରଖି ଦିଅନ୍ତୁ। ଯଦି ସେମିତି କିଛି ଜରୁରୀ ଅଛି ଓ ଆସିବାକୁ ଚାହୁଁଛନ୍ତି ତେବେ ଯାତ୍ରା ପୂର୍ବରୁ ପ୍ରଶାସନ ଓ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟକୁ ଜଣାଇ ଆସନ୍ତୁ । ଯଦ୍ବାରା କିଛି ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯାଇପାରିବ। କାରଣ ଏବେ ଅଯୋଧ୍ୟା ଭିଡ ପ୍ରବଳ ରହିଛି।

ପୂର୍ବରୁ କୁହାଯାଇଥିଲା ଯେ ରାମଲଲ୍ଲାଙ୍କ ଦର୍ଶନ ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ରହିବ।  ତା’ପରେ ଏହି ସମୟରେ ପରିବର୍ତ୍ତନ କରାଯାଇ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କରାଯାଇଥିଲା। ସମ୍ପ୍ରତି ଲୋକଙ୍କ ଭିଡ଼କୁ ଦେଖି ଦର୍ଶନ ସମୟକୁ ବୃଦ୍ଧି କରାଯାଇଛି। ଏଣିକି ରାମମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲଲ୍ଲାଙ୍କ ଦର୍ଶନ ପାଇପାରିବେ।

ସମ୍ବନ୍ଧିତ ଖବର