ଦିଲ୍ଲୀ ମଦ ଦୁର୍ନୀତି: ସରକାରୀ ସାକ୍ଷୀଙ୍କ କମ୍ପାନି ବିଜେପିକୁ ନିର୍ବାଚନୀ ବଣ୍ଡ୍‌ରେ ଦେଇଛି ୩୪ କୋଟି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଣେ ସରକାରୀ ସାକ୍ଷୀଙ୍କ କମ୍ପାନି ୫୨ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ କିଣିଥିବା ବେଳେ ଏହାର ସିଂହଭାଗ ବିଜେପିକୁ ମିଳିଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି। ୨୦୨୨ ନଭେମ୍ବରରେ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଆସନ୍ତା ବର୍ଷ ସରକାରୀ ସାକ୍ଷୀ ପାଲଟିଥିବା ଶରତ ଚନ୍ଦ୍ର ରେଡ୍ଡୀଙ୍କ କମ୍ପାନି ଅରବିନ୍ଦ ଫାର୍ମା ୫୨ କୋଟି ଟଙ୍କାର ବଣ୍ଡ୍‌ କିଣିଥିଲା। ଏହି ବଣ୍ଡ୍‌ର ୬୬ ପ୍ରତିଶତ ବିଜେପିକୁ ଯାଇଥିବା ବେଳେ ୨୯ ପ୍ରତିଶତ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ଅବଶିଷ୍ଟ ଅଂଶ ତେଲୁଗୁ ଦେଶମ ପାର୍ଟି (ଟିଡିପି)କୁ ମିଳିଛି। ତଥ୍ୟରୁ ଆହୁରି ଜଣାପଡିଛି ଯେ ୫୨ କୋଟି ଟଙ୍କାର ବଣ୍ଡ ମଧ୍ୟରୁ ୫ କୋଟି ଟଙ୍କାର ବଣ୍ଡ୍‌ ୨୦୨୨ରେ ଶରତ ରେଡ୍ଡୀ ଗିରଫ ହେବାର ୫ ଦିନ ପରେ କିଣାଯାଇଥିଲା। ୨୦୨୨ ନଭେମ୍ବର ୧୦ରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ୨୦୨୨ ନଭେମ୍ବର ୧୫ରେ ଅରବିନ୍ଦ ଫାର୍ମା ଏହି ବଣ୍ଡ୍‌ କିଣିଥିଲା।

ସୂଚନାଯୋଗ୍ୟ, ଜୁନ୍ ୨୦୨୩ରେ ଦିଲ୍ଲୀର ଏକ ଅଦାଲତ ଅରବିନ୍ଦ ଫାର୍ମାର ଅନ୍ୟତମ ନିର୍ଦ୍ଦେଶକ ଶରତ ରେଡ୍ଡୀଙ୍କୁ ମଦ ନୀତି ମାମଲାରେ ସାକ୍ଷୀ ଭାବରେ ଗ୍ରହଣ କରିବାକୁ ଅନୁମତି ଦେଇଥିଲେ। ଏଥିସହ କୋର୍ଟ ଏହି ମାମଲାରେ ରେଡ୍ଡୀଙ୍କୁ କ୍ଷମା ପ୍ରଦାନ କରିଥିଲେ। ଶନିବାର ଆପ୍ ନେତା ତଥା ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆତିଶୀ ଶରତ ରେଡ୍ଡୀଙ୍କ ନିର୍ବାଚନୀ ବଣ୍ଡ୍‌ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶାସକ ବିଜେପିର ଇଶାରାରେ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବରୁ କହିଥିଲା ଯେ ଶରତ ରେଡ୍ଡୀଙ୍କୁ ମଦ ନୀତି ମାମଲାରେ ଫସାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର