ଦିଲ୍ଲୀରେ ପୁଲିସ-ଆଇନଜୀବୀ ସଂଘର୍ଷ, ଗୁଳିମାଡ଼ରେ ଜଣେ ଓକିଲ ଆହତ

ପୁଲିସ ଗାଡ଼ି ଜାଳିଦେଲେ, ବ୍ୟାପକ ଭଙ୍ଗାରୁଜା

ନୂଆଦିଲ୍ଲୀ: ଦିଲ୍ଲୀର ତିସ୍‌ ହଜାରୀ ଆଦଲତ ପରିସରରେ ଆଜି ଆଇନଜୀବୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ହୋଇଛି। ପାର୍କିଂକୁ ନେଇ ପୁଲିସ କର୍ମୀ ଏବଂ ଓକିଲଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ସଂଘର୍ଷର ରୂପ ନେଇଥିଲା। ପୁଲିସ-ଓକିଲଙ୍କ ମଧ୍ୟରେ ମାର୍‌ପିଟ ଚାଲିଥିବା ବେଳେ ଜଣେ ପୁଲିସ କର୍ମୀ ଅଚାନକ ଗୁଳି ଚାଳନା କରିବାରୁ ମାମଲା ଗମ୍ଭୀର ରୂପ ନେଇଥିଲା। ଓକିଲମାନେ ଉଗ୍ର ହୋଇଉଠିଥିଲେ ଏବଂ ପୁଲିସ ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଆରମ୍ଭ କରିଥିଲେ। କେତେକ ‌ପୁଲିସ ଗାଡ଼ିକୁ ଓକିଲମାନେ ଜାଳି ଦେଇଛନ୍ତି ଏବଂ ଅନେକ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ସମଗ୍ର କୋର୍ଟ ପରିସର ଆଜି ରଣକ୍ଷେତ୍ର ପାଲଟି ଯାଇଥି‌ଲା ଏବଂ ଏହାପରେ ଓକିଲମାନେ କୋର୍ଟ ପରିସରକୁ ଚାରିପଟୁ ବନ୍ଦ କରି ରଖିଛନ୍ତି ଏବଂ ପୁଲିସକୁ ବି ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଓକିଲମାନେ ଅଭିଯୋଗ କରିଛନ୍ତି ଯେ ପୁଲିସ ବାହିନୀ ହିଁ ପ୍ରଥମେ ଆକ୍ରମଣ କରିଥିଲେ ଏବଂ ଏଥିରେ ୨ ଜଣ ଓକିଲ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁଳି ବାଜିଛି ବୋଲି କୁହାଯାଇଛି। ଆହତ ଓକିଲଙ୍କୁ ସେଣ୍ଟ ଷ୍ଟିଫେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୁଲିସ ଗୁଳିମାଡ଼କୁ ଅସ୍ବୀକାର କରିଛି। ଥାର୍ଡ ବାଟାଲିୟନର ପୁଲିସ କର୍ମୀଙ୍କ ଦ୍ବାରା ପାର୍କିଂକୁ କେନ୍ଦ୍ର କରି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି।

ପୁଲିସ ଓକିଲ ଖଣ୍ଡଯୁଦ୍ଧ ସମୟରେ ଗୁଳି ଚାଳନା ଯୋଗୁଁ ଆହତ ହୋଇଥିବା ଓକିଲଙ୍କ ନାମ ସୁରେନ୍ଦ୍ର ବର୍ମା ବୋଲି ଜଣାପଡ଼ିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ସହ ଦାୟୀ ପୁଲିସ କର୍ମୀଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ସମ୍ବନ୍ଧିତ ଖବର