ଦୁଇ ଓଡିଆଙ୍କୁ ସମ୍ମାନିତ କରିବ ଦିଲ୍ଲୀ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର, ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚରାପତି ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତିଙ୍କ ସମେତ ଆଠଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଦ୍ବାରା ସମ୍ମାନିତ କରାଯିବ। ଉକ୍ତ ଆଠଜଣ ପ୍ରତିଷ୍ଠିତ ବ୍ୟକ୍ତି ଦିଲ୍ଳୀ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ଏବଂ ସେମାନଙ୍କର ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ଦିଲ୍ଲୀ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ମାନିତ ହେବାକୁ ଥିବା ଆଠଜଣଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଓ ହରଦୀପ ପୁରୀ, ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଅଲ୍ଲୀ, ପୁଡୁଚେରୀର ପୂର୍ବତନ ଉପରାଜ୍ୟପାଳ କିରଣ ବେଦୀ, କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଅମିତ ଖାରେ ଓ ଉତ୍ତରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଉକ୍ତ ତାଲିକାରେ ଅଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟ ସୂତ୍ର ଅନୁସ‌ାରେ ଜୁଲାଇ ଅଥବା ଅଗଷ୍ଟ ମାସରେ ଅୟୋଜନ ହେବାକୁ ଥିବା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଉକ୍ତ ଆଠଜଣଙ୍କୁ ସମ୍ମାନିତ କରାଯିବ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ରୂପେ କାର୍ଯ୍ୟରତ ଡ. ପ୍ରମୋଦ କୁମାର ମିଶ୍ର ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଦିଲ୍ଲୀ ସ୍କୁଲ‌୍ ଅଫ୍ ଇକୋନୋମିକ୍ସରେ ୧୯୭୦-୭୨ ବ୍ୟାଚ୍‌ରେ ଏମ୍‌ଏ ଅଧ୍ୟୟନ କରିଥିଲେ। ଅପରପକ୍ଷେ, ଅକ୍ଟୋବର ୬, ୨୦୧୯ରୁ ରାଜସ୍ଥାନ ହାଇ‌କୋର୍ଟ‌ର ମୁଖ୍ୟ ବିଚାରପତି ରୂପେ ଅବସ୍ଥାପିତ ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି ଦିଲ୍ଲୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍ ଲ ସେଣ୍ଟରରୁ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଥିଲେ।

ସମ୍ବନ୍ଧିତ ଖବର