ଘରୋଇ ହିଂସା: ଓଡ଼ିଶାରେ ୧୩,୯୩୧ ମାମଲା ବିଚାରାଧୀନ

ନୂଆଦିଲ୍ଲୀ : ଓଡ଼ିଶାରେ ୧୩,୯୩୧ ଘରୋଇ ହିଂସା ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି। ସୁପ୍ରିମକୋର୍ଟରେ ନ୍ୟାସନାଲ ଲିଗାଲ ସର୍ଭିସେସ୍‌ ଅଥରଟି (ନାଲ୍‌ସା) ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି। ଘରୋଇ ହିଂସା ଆଇନ-୨୦୦୫ର ବିଜ୍ଞପ୍ତି ହେବା ଦିନ ଠାରୁ ରାଜ୍ୟରେ ସମୁଦାୟ ୨୬,୮୪୫ ମାମଲା ରୁଜୁ ହୋଇଛି। ଜୁନ ୩୦, ୨୦୨୨ ସୁଦ୍ଧା ରୁଜୁ ହୋଇଥିବା ମାମଲା ମଧ୍ୟରୁ ୧୨,୯୧୪ ମାମଲାର ଫଇସଲା ହୋଇଛି।

ଘରୋଇ ହିଂସା ସଂପର୍କିତ କୋର୍ଟଙ୍କ ଆଦେଶ ବିରୋଧରେ ୨୫୧୦ ମାମଲାର ଅପିଲ କରାଯାଇଥିଲା। ଅପିଲ ମାମଲାଗୁଡ଼ିକ ମଧ୍ୟରୁ ୧୬୬୦ଟିର ଅନ୍ତ ଘଟିଛି। ଜୁଲାଇ ୧, ୨୦୨୨ ସୁଦ୍ଧା ୮୫୦ଟି ଅପିଲ ବିଚାରାଧୀନ ରହିଛି। ଓଡ଼ିଶାରେ ୩୦ଟି ଜିଲ୍ଲା‌ରେ ସୁରକ୍ଷା ଅଧିକାରୀ ଅବସ୍ଥାପିତ ହୋଇଛନ୍ତି। ୩୦ଟି ଜିଲ୍ଲାରେ ଘରୋଇ ହିଂସା ମାମଲାକୁ ସ୍ବତନ୍ତ୍ର ଭାବେ ଅନୁଧ୍ୟାନ ପାଇଁ ଅଫିସର ଅଛନ୍ତି। ମାଲକାନଗିରି ଜିଲ୍ଲାକୁ ବାଦ ଦେଲେ ଅବଶିଷ୍ଟ ୨୯ ଟି ଜିଲ୍ଲାରେ ସରକାରଙ୍କ ଦ୍ବାରା ପରିଚାଳିତ ଏନ୍‌ଜିଓ ଆଶ୍ରୟ ଗୃହ ରହିଛି। ୨୯ ଟି ଜିଲ୍ଲାରେ ପୀଡ଼ିତାଙ୍କ ପାଇଁ ‘ୱାନ ଷ୍ଟପ୍‌ ସେଣ୍ଟର’ ରହିଛି। ଏଠାରେ ପୀଡ଼ିତାମାନଙ୍କ ବିବୃତ୍ତି ରେକର୍ଡ କରାଯାଉଛି। ଏହି ସବୁ କେନ୍ଦ୍ରମାନଙ୍କରେ ପୀଡ଼ିତାମାନଙ୍କ ୭୪୫୭, ଥାନାମାନଙ୍କରେ ୯୩ ଓ ଅନ୍ୟାନ୍ୟ ୨୫୭ ବିବୃତ୍ତି ରେକର୍ଡ ହୋଇଛି।

moneycontrol.com

ଘରୋଇ ହିଂସା ସମ୍ବନ୍ଧିତ ଏକ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ଗତ ମେ ମାସରେ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ନାଲ୍‌ସାକୁ ଘରୋଇ ହିଂସା ଆଇନ ଅଧୀନରେ ଦେଶବ୍ୟାପୀ କେତେ ସଂଖ୍ୟକ ମାମଲା ବିଚାରାଧୀନ ରହିଛି ଓ କେତେ ସଂଖ୍ୟକ ମାମଲା ଫଇସଲା ହୋଇଛି, ସେ ସଂପର୍କରେ ସବିଶେଷ ବିବରଣୀ ସତ୍ୟପାଠ ଜରିଆରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସତ୍ୟପାଠରେ ଦେଶର ୨୫ ଟି ରାଜ୍ୟରେ ଘରୋଇ ହିଂସାର ୪,୭୧,୬୮୪ଟି ମାମଲା ବିଚାରାଧୀନ ଥିବା ଉଲ୍ଲେଖ କରାଯାଇଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୧,୧୯,୬୮୪ଟି ମାମଲା ବିଚାରାଧୀନ ଥିବା ସତ୍ୟପାଠରେ କୁହାଯାଇଛି।

ସମ୍ବନ୍ଧିତ ଖବର