ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଇସ୍ତଫା ଦେଲେ ନିର୍ବାଚନ କମିସନର ଅରୁଣ ଗୋଏଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ପୂର୍ବରୁ ନିର୍ବାଚନ ଆୟୋଗରେ ଏକ ପଦବୀ ଖାଲି ପଡ଼ିଥିବା ବେଳେ ଏବେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ପାଖରେ ଏହି ପଦବୀ ରହିବ। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ତେବେ ଗୋୟଲଙ୍କ ଇସ୍ତଫା ଏହାର ସମୟସୀମା ଉପରେ କୌଣସି ପ୍ରଭାବ ପକାଇବ କି ନାହିଁ ତାହା ଦେଖିବାକୁ ବାକି ରହିଲା । କାରଣ ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ଦୁଇ ଦୁଇଟି କମିଶନର ପଦବୀ ଖାଲି ରହିବା ପ୍ରସ୍ତୁତିକୁ ପ୍ରଭାବିତ କରିପାରେ ।

ଅରୁଣ ଗୋଏଲଙ୍କ କାର୍ଯ୍ୟକାଳ ୩ ବର୍ଷ ବାକି ଥିବା ବେଳେ ସେ ଇସ୍ତଫା ଦେଇଛନ୍ତି। ନିର୍ବାଚନ କମିଶନର ପଦ ପାଇଁ ପୂର୍ବରୁ ଗୋଟିଏ ପଦବୀ ଖାଲି ପଡ଼ିଥିଲା। ଏହା ପୂର୍ବରୁ ନିର୍ବାଚନ କମିଶନର ଅନୁପ ପାଣ୍ଡେ ଚଳିତ ବର୍ଷ ଫେବ୍ରୁଆରିରେ ଅବସର ନେଇଥିଲେ। ନଭେମ୍ବର ୨୧, ୨୦୨୨ରେ ଗୋୟଲ ଭାରତର ନିର୍ବାଚନ କମିଶନର (ଇସି) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୮୫ ବ୍ୟାଚ୍ ର ପଞ୍ଜାବ କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗୋୟଲ ୩୭ ବର୍ଷରୁ ଅଧିକ ସମୟ ପରେ ଭାରତ ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟର ସଚିବ ଭାବେ ଚାକିରିରୁ ଅବସର ନେଇଥିଲେ।

 

 

 

ସମ୍ବନ୍ଧିତ ଖବର