ପୁଣି କଳାଟଙ୍କା ଭୟ: ନିର୍ବାଚନୀ ବଣ୍ଡ୍ ରଦ୍ଦ ହେବା ପରେ କହିଲେ ଅମିତ ଶାହ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ ଅସାମ୍ବିଧାନିକ କହି ରଦ୍ଦ କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହାଦ୍ବାରା କଳାଟଙ୍କା ପୁଣି ଫେରିବାର ବାଟ ସଫା ହୋଇଗଲା। କଳାଟଙ୍କାର ବିଲୋପ ସାଧନ ନିମନ୍ତେ ଉକ୍ତ ନିର୍ବାଚନୀ ବଣ୍ଡ୍ ନେଇ ଆଇନ ପ୍ରଣୟନ କରାଯାଇଥିଲା। ଇଣ୍ଡିଆ ଟୁଡେ କନ୍‌କ୍ଲେଭ ୨୦୨୪ରେ ଭାଷଣ ଦେଇ ଶାହ କହିଲେ ଯେ, ସେ ସୁପ୍ରିମ୍‌କୋର୍ଟଙ୍କ ରାୟ ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହାନ୍ତି ନାହିଁ। କିନ୍ତୁ ଇଲେକ୍ଟୋରାଲ ବଣ୍ଡ୍ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ। କଳାଟଙ୍କାର ବିଲୋପ ସାଧନ ପାଇଁ ୨୦୧୮ରେ ବଣ୍ଡ୍‌ ପ୍ରବର୍ତ୍ତନ କରାଯାଇଥିଲା। ଶାହ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ୍ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଲୋକମାନେ ରାଜନୈତିକ ଦଳଗୁଡ଼ିକୁ ନଗଦ ଆକାରରେ ଚାନ୍ଦା ଦେଉଥିଲେ।

ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, ବିଜେପି ଏହି ଯୋଜନା ଦ୍ବାରା ଅଧିକ ଲାଭବାନ ହୋଇଛି କାରଣ ଏହା କ୍ଷମତାରେ ଅଛି। ରାହୁଲ ଗାନ୍ଧୀ କହିଛନ୍ତି, ଏହା ହେଉଛି ‘ବିଶ୍ବର ବୃହତ୍ତମ ଏକ୍ସଟର୍ସନ ରୢାକେଟ୍‌’। ମୁଁ ଜାଣିନି କିଏ ତାଙ୍କ ପାଇଁ ଏସବୁ ଲେଖୁଛି ବୋଲି ଶାହ କହିଛନ୍ତି। ଶାହ କହିଲେ ଯେ, ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ବିଭିନ୍ନ ଦଳକୁ ଦିଆଯାଇଥିବା ୨୦,୦୦୦ କୋଟି ଟଙ୍କାରୁ ବିଜେପି ୬୦୦୦ କୋଟି ପାଇଛି। ତା’ହେଲେ ବାକି ୧୪,୦୦୦ କୋଟି କୁଆଡ଼େ ଗଲା? ଶାହ କହିଛନ୍ତି, ତୃଣମୂଳ କଂଗ୍ରେସ ୧୬୦୦ କୋଟି, କଂଗ୍ରେସ ୧୪୦୦ କୋଟି, ବିଆର୍‌ଏସ୍ ୧୨୦୦ କୋଟି, ବିଜେଡି ୭୭୫ କୋଟି ଓ ଡିଏମ୍‌କେ ୬୪୯ କୋଟି ଟଙ୍କା ପାଇଛନ୍ତି।

ସମ୍ବନ୍ଧିତ ଖବର