ସିଏଏ ବିରୋଧରେ ୧୯୨ଟି ଆବେଦନ: ମଙ୍ଗଳବାର ଶୁଣାଣି

ଇଭିଏମ୍ ଅନିୟମିତତା ନେଇ ପିଟିସନ ଖାରଜ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଏବେ ରାଜନୀତି ସରଗରମ ରହିଥିବା ବେଳେ ଏହା ବିରୋଧରେ ଦାଖଲ ହୋଇଥିବା ପିଟିସନଗୁଡ଼ିକର ଶୁଣାଣି ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ହେବ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ସମୁଦାୟ ୧୯୨ଟି ଆବେଦନ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ପିଟିସନର ଏକାଠି ଶୁଣାଣି କରାଯାଉଛି। ଇଣ୍ଡିଆନ୍ ୟୁନିୟନ ମୁସଲିମ୍ ଲିଗ୍ , ୟୁଥ୍ ଫେଡେରେସନ୍ ଅଫ୍ ଇଣ୍ଡିଆ, ଆସାମ କଂଗ୍ରେସ ନେତା ଦେବବ୍ରତ ସାଇକିଆ ଏବଂ ଆସାମର ସଂଗଠନ ଏଜେୱାଇସିପି ପକ୍ଷରୁ ସିଏଏ ବିଜ୍ଞପ୍ତି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ପିଟିସନ ଦାଖଲ କରାଯାଇଛି। ସିଏଏ ଅସାମ୍ବିଧାନିକ, ମୁସଲମାନମାନଙ୍କ ପ୍ରତି ଭେଦଭାବପୂର୍ଣ୍ଣ ବୋଲି ଦର୍ଶାଇ ଆଇୟୁଏମଏଲ (ଇଣ୍ଡିଆନ୍ ୟୁନିୟନ ମୁସଲିମ୍ ଲିଗ୍) ସମେତ ସମସ୍ତ ଆବେଦନକାରୀ ଏହି ବିଜ୍ଞପ୍ତିର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ସିଏଏ ଉପରେ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ଅଦାଲତ ସେତେବେଳେ ଶୁଣାଣି କରିନଥିଲେ କାରଣ ସରକାର କହିଥିଲେ ଯେ ଏହା ବର୍ତ୍ତମାନ କାର୍ଯ୍ୟକାରୀ ହେଉନାହିଁ। ଏଭଳି ସ୍ଥିତିରେ ଏବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଖୁବ୍ ଶୀଘ୍ର ଶୁଣାଣି ଆରମ୍ଭ କରାଯାଉ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ବିଜ୍ଞପ୍ତିକୁ ନେଇ ବିବାଦର କୌଣସି ଅର୍ଥ ନାହିଁ। ଏହା ଏକ ସାମ୍ବିଧାନିକ ମାମଲା। ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସିଏଏକୁ ନେଇ ବିରୋଧୀଙ୍କ ନକାରାତ୍ମକ ପ୍ରଚାର ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏନଆରସି ଓ ସିଏଏର କିଛି ସମ୍ପର୍କ ନାହିଁ ଏବଂ ଏହି ଆଇନ କେବେ ବି ପ୍ରତ୍ୟାହାର ହେବ ନାହିଁ ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ପରିଚାଳନାରେ ଅନିୟମିତତା ହେଉଥିବା ଅଭିଯୋଗ କରି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି, ଇଭିଏମ୍‌କୁ ନେଇ କେତେ ପିଟିସନ୍ ଆସିବ? ପ୍ରତ୍ୟେକ ପଦ୍ଧତିରେ କିଛି ପ୍ଲସ୍ ପଏଣ୍ଟ ଓ କିଛି ନକାରାତ୍ମକତା ରହିବ। ଆମେ ଅନୁମାନ ଉପରେ ଯାଇପାରିବୁ ନାହିଁ। ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଆମେ ଏହି ପ୍ରସଙ୍ଗକୁ ଯାଞ୍ଚ କରିସାରିଛୁ ଏବଂ ଯାଞ୍ଚ କରୁଛୁ। ମୁଁ ସେମାନଙ୍କ ୱେବ୍‌ସାଇଟରେ ଦେଖିଲି ଯେ ପୂର୍ବରୁ ଏଭଳି ୧୦ଟି ମାମଲା ଅଛି। ଆମେ ଏ ବାବଦରେ ଆଗ୍ରହୀ ନୁହଁ। ଚଳିତ ବର୍ଷ ପ୍ରାରମ୍ଭରେ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଏକ୍ସରେ ଦାବି କରିଥିଲେ ଯେ ଭୋଟ ଗଣତିର କିଛି ଦିନ ପୂର୍ବରୁ ବିଜେପି ନେତା ଓ କର୍ମୀମାନେ ବିଧାନସଭା ନିର୍ବାଚନ ଫଳାଫଳ ବିଷୟରେ ପୂର୍ବରୁ ଜାଣିଥିଲେ। ତେବେ ସିଂହ ଏହି ପୋଷ୍ଟକୁ ତାଙ୍କ ଆକାଉଣ୍ଟରୁ ହଟାଇ ଦେଇଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜୟ ହାସଲ କରିବା ପାଇଁ ବିଜେପି ଇଭିଏମ୍‌ରେ ତ୍ରୁଟି କରିଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା। ପୂର୍ବରୁ ଏକ ପୋଷ୍ଟରେ ଦିଗବିଜୟ ସିଂହ କହିଥିଲେ ଯେ, ଚିପ୍ ଥିବା ଯେକୌଣସି ମେସିନ୍ ହ୍ୟାକ୍ ହୋଇପାରେ।

ସମ୍ବନ୍ଧିତ ଖବର