ଜଳୁଥିବା ବସ ଭିତରୁ ଶିଶୁକୁ ବଞ୍ଚାଇବା ପାଇଁ ଗହମ ଚାଷ ଜମିକୁ ପିଙ୍ଗି ଦେଲା ମା’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିପୁରରେ ଗତ ସୋମବାରଦିନ ୧୧ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ହେତୁ ଏକ ଯାତ୍ରୀବାହୀ ବସ ଜଳି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୫ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୦ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ମଉର ଜିଲ୍ଲାର ରାଣୀପୁର ଖିରିଆ ଗ୍ରାମର ନନ୍ଦୁ ପାସୱାସଙ୍କ ଝିଅଙ୍କ ବିବାହ କରିମୁଦ୍ଦିନପୁର ଅଞ୍ଚଳରେ ତେଜ ବାହାଦୁରଙ୍କ ସହିତ ସ୍ଥିର ହୋଇଥିଲା। ମହାହର ଧାମରେ ବିବାହ ହେବାର ଥିଲା। ତେଣୁ ଝିଅପକ୍ଷ ବସରେ ବସି ମହାହର ଧାମ ଅଭିମୁଖେ ଯାତ୍ରା କରୁଥିଲେ। ବାଟରେ ଉକ୍ତ ବସଟି ହାଏଭୋଲଟେଜ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା।ଦେଖୁଦେଖୁ ବସଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା।

ଅନେକ ଯାତ୍ରୀ ଜଳୁଥିବା ବସରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିଲେ ହେଁ ଆଉ କିଛି ଯାତ୍ରୀ ଭିତରେ ରହି ଯାଇଥିଲେ। ଜଳୁଥିବା ବସ ଭିତରୁ ବାହାରି ନପାରି ସୁନୀତା ନାମକ ମହିଳା କୋଳରେ ଧରିଥିବା ତାଙ୍କ ନବଜାତ ଶିଶୁର ଜୀବନ ବଞ୍ଚାଇବା ପାଇଁ ଝରକା ମାଧ୍ୟରେ ପାଖରେ ଥିବା ଗହମ ଚାଷ ଜମିକୁ ପିଙ୍ଗି ଦେଇଥିଲେ।

ସ୍ଥାନୀୟଲୋକେ ଶିଶୁକୁ ଉକ୍ତ ଚାଷ ଜମିରୁ ଉଦ୍ଧାର କରି ପୁଲିସ ଜିମ‌ା ଦେଇଥିଲେ। ସୁନୀତାଙ୍କ ସ‌ମେତ ଏହି ବସ ଭିତରେ ଜଳି ଯାଇଥିବା ଅନେକ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଏବେ ବି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧିତ ଖବର