ନିରବ ମୋଦୀ, ମେହୁଲ ଚୋକସି ଓ ବିଜୟ ମାଲ୍ୟାଙ୍କ ୧୯ ହଜାର କୋଟିର ସମ୍ପତ୍ତି ଜବତ ହୋଇଛି : ସରକାର

ନୂଆଦିଲ୍ଲୀ : ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ହଡ଼ପ କରି ଫେରାର ହୋଇଯାଇଥିବା ନିରବ ମୋଦୀ, ମେହୁଲ ଚୋକସୀ ଓ ବିଜୟ ମାଲ୍ୟାଙ୍କର ପ୍ରାୟ ୧୯,୧୧୧ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ସରକାର ସଂସଦକୁ ସୂଚୀତ କରିଛନ୍ତି ।

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ଏହି ତିନି ବ୍ୟବସାୟୀ ଭାରତୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରୁ ଋଣ ନେଇ ସେଗୁଡ଼ିକୁ ବିଦେଶକୁ ପଠାଇଦେଇଛନ୍ତି । ଏହା ଫଳରେ ବ୍ୟାଙ୍କଗୁଡ଼ିକର ପ୍ରାୟ ୨୨,୫୮୫ କୋଟି ଟଙ୍କା କ୍ଷତି ହୋଇଛି । ସେ କହିଛନ୍ତି ମାର୍ଚ୍ଚ ୧୫ ସୁଦ୍ଧା ପ୍ରାୟ ୨୨,୫୮୫ କୋଟି ଟଙ୍କାର ସଂପତ୍ତି ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ଅଧିନରେ ଜବତ ହୋଇଛି । ଜବତ ହୋଇଥିବା ୧୯,୧୧୧ କୋଟି ମଧ୍ୟରୁ ୧୫,୧୧୩ କୋଟି ଟଙ୍କାର ସଂପତ୍ତି ବ୍ୟାଙ୍କମାନଙ୍କୁ ଫେରାଇ ଦିଆଯାଇଛି ।

ମାର୍ଚ୍ଚ ୧୫ ସୁଦ୍ଧା, ଠକେଇ ପରିମାଣର ୮୪ ପ୍ରତିଶତ ଜବତ ହୋଇସାରିଛି । ତେବେ ବ୍ୟାଙ୍କମାନଙ୍କ କ୍ଷତି ପରିମାଣର ୬୬.୯ ପ୍ରତିଶତ ସଂପତ୍ତି ବ୍ୟାଙ୍କମାନଙ୍କୁ ଫେରସ୍ତ ଦିଆଯାଇଛି ।

ଗତ ଫେବ୍ରୁଆରି ମାସରେ ସୋଲିସିଟର ଜେନେରାଲ ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଏମଏଲଏ ଅଧୀନରେ ପ୍ରାୟ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିବାରେ ବ୍ୟାଙ୍କଗୁଡ଼ିକ ସଫଳ ହୋଇଛନ୍ତି ।

ସମ୍ବନ୍ଧିତ ଖବର