ନିଖୋଜ ଅଭିନେତାଙ୍କ ମୋବାଇଲରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି ପୁଲିସ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଭାରତୀୟ ଧାରାବାହିକ ‘ତାରକ ମେହତାକା ଉଲ୍‌ଟା ଚଷମା’ରେ ରୋଶନ ସିଂହ ସୋଢ଼ି ଭୂମିକାରେ ଅଭିନୟ କରୁଥିବା ଗୁରୁଚରଣ ସିଂହ ଗତ କିଛି ଦିନ ହେବ ନିଖୋଜ ହୋଇଯାଇଛନ୍ତି। ହଠାତ ଗୁରୁଚରଣ ସିଂହ ନିଖୋଜ ହେବା ଘଟଣାର ଖବର ପାଇବା ପରେ ଅଭିନେତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥିସହିତ ଏହି ଘଟଣା ସତ ନା ଗୁଜବ ବୋଲି ପ୍ରଶ୍ନ କରିଛନ୍ତି।

‌ଗୁରୁଚରଣ ସିଂହ ନିଖୋଜ ହେବା ଘଟଣା ଏପ୍ରିଲ ୨୬ ତାରିଖରେ ସାମ୍ନାକୁ ଆସିଥିବା ବେଳେ  ଅଭିନେତାଙ୍କ ବାପା ହରଗୀତ ସିଂହ ପୁଲିସକୁ ଅଭିଯୋଗ ପତ୍ରରେ କହିଥିଲେ କି ପୁଅ ଏପ୍ରିଲ ୨୨ ତାରିଖରୁ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ହରଗୀତ ସିଂହଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଯାଞ୍ଚରୁ ଜଣାପଡ଼ିଛି ଏପ୍ରିଲ ୨୨ ତାରିଖରେ ଗୁରୁଚରଣଙ୍କୁ ଦିଲ୍ଲୀ ବିମାନବନ୍ଦରକୁ ଯିବାର ଥିଲା। କିନ୍ତୁ ସେ ବିମାନବନ୍ଦର ଅଭିମୁଖେ ଯାଇ ନଥିଲେ। ଦିଲ୍ଲୀର ପାଲମ ସମେତ ଅନେକ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ସେ  ପିଠିରେ ବ୍ୟାଗ ଟାଙ୍କି ଯିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଦିଲ୍ଲୀ ଏଟିଏମରୁ ପାଖାପାଖି ୭ହଜାର ଟଙ୍କା ବାହାର କରିଥିବ‌ା ବି  ସିସିଟିଭିରେ କଏଦ ହୋଇଛି।

ଗୁରୁଚରଣଙ୍କ ମୋବାଇଲରୁ ପୁଲିସ ଅନେକ ଗୁରୁତ୍ବପୂର୍ଣ୍ଣ ଡାଟା ସଂଗ୍ରହ କରିଛି। ଏପ୍ରିଲ ୨୪ ତାରିଖରେ ଅଭିନେତା ଦିଲ୍ଲୀରେ ଥିଲେ, ଏହାପରେ ତାଙ୍କ ଫୋନ ସୁଇଜ ଅଫ ହୋଇଯାଇଥିଲା। ଏପ୍ରିଲ ୨୨ ତାରିଖରୁ ଗୁରୁଚରଣ  ନିଖୋଜ ହୋଇଯାଇଥିବା ବେଳେ ୨୪ ତାରିଖରେ ପାଲମସ୍ଥିତ ତାଙ୍କ ଘରଠାରୁ ୨ରୁ ୩କିଲୋମିଟର ଦୂର ଲୋକେସନରେ ଥିବ‌ା ଜଣାପଡ଼ିଛି।

ଯାଞ୍ଚରୁ ଜଣାପଡ଼ିଛି ଗୁରୁଚରଣଙ୍କ ବିବାହ ହେବାର ଥିଲା। କିଛିବର୍ଷ ହେବ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ଏସବୁ ଭିତରେ ହଠାତ ଗୁରୁଚରଣ ନିଖୋଜ ହୋଇଯିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।

ସମ୍ବନ୍ଧିତ ଖବର