ହାଥରାସ୍‌ ଗଣଦୁଷ୍କର୍ମ: ପୀଡ଼ିତା ପରିବାରକୁ ଭେଟିଲେ ରାହୁଲ, ପ୍ରିୟଙ୍କା

ଗୃହବନ୍ଦୀରୁ ମୁକ୍ତି ମିଳିଛି: ପୀଡ଼ିତା ପରିବାର

ଲକ୍ଷ୍ନୌ: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ହାଥରାସ ଯାଇ ପୀଡ଼ିତା ପରିବାରକୁ ଭେଟିଛନ୍ତି। ପରିବାରର ସୁରକ୍ଷା ଦାୟିତ୍ବ ରାଜ୍ୟ ସରକାରଙ୍କର ବୋଲି ରାହୁଲ କହିଛନ୍ତି। ଏହି ମାମଲାରେ ସ୍ବର ଉତ୍ତୋଳନ କରିବାରୁ ଆମକୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ କହିଛନ୍ତି। ପ୍ରିୟଙ୍କା ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ପରେ କହିଛନ୍ତି ଯେ ପରିବାର ଏବେ ନ୍ୟାୟ ଚାହୁଛନ୍ତି ଏବଂ ସେମାନଙ୍କୁ ଏଥିରୁ ବଞ୍ଚିତ କରାଯାଇ ପାରିବ ନାହିଁ। ମୋଟ ୫ ଜଣ ପ୍ରତିନିଧିଙ୍କ ସହ ଯାଇ ରାହୁଲ-ପ୍ରିୟଙ୍କା ହଥରାସ୍‌ର ବୁଲ୍‌ଗାଡ଼ି ଗ୍ରାମରେ ପହଞ୍ଚି କଡ଼ା ସୁରକ୍ଷା ଭିତରେ ପରିବାରକୁ ଭେଟିଥିଲେ। ସେମାନଙ୍କ ସହ କଂଗ୍ରେସ ରାଜ୍ୟସଭା ସାଂସଦ କେସି ବେଣୁଗୋପାଳ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକୁଲ ୱାସନିକ୍‌ ଏବଂ ଲୋକସଭାର ବିରୋଧୀ ନେତା ଅଧୀର ରଂଜନ ଚୌଧୁରୀ ମଧ୍ୟ ଥିଲେ। ୩ ଦିନରେ କଂଗ୍ରେସ ନେତାମାନଙ୍କ ହଥରାସ୍‌ ପୀଡ଼ିତା ପରିବାରକୁ ଭେଟିବାପାଇଁ ଏହା ଦ୍ବିତୀୟ ଉଦ୍ୟମ ଥିଲା।

ଗତ ଗୁରୁବାର ଦିନ ରାହୁଲ ଏବଂ ପ୍ରିୟଙ୍କାଙ୍କ ଗାଡ଼ିକୁ ୟୁପି-ଦିଲ୍ଲୀ ସୀମାରେ ଅଟକାଇ ଦିଆଯାଇଥିଲା। ହଥରାସ୍‌ରେ ୧୪୪ ଜାରି ହୋଇଥିବା କହି ସେମାନଙ୍କୁ ଆଗକୁ ବଢ଼ିବାକୁ ମନା କରାଯାଇଥିଲା। କିନ୍ତୁ ସେମାନେ ପୁଲିସର କଥାକୁ ଭ୍ରୁକ୍ଷେପ ନକରି ଆଗକୁ ଯିବାରୁ ପୁଲିସ ସହ ସେମାନଙ୍କର ମୁହାଁମୁହିଁ ସ୍ଥିତି ଉପୁଜିଥିଲା ଏବଂ ଶେଷରେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା ଓ ପରେ ଗିରଫ କରିଥିଲା। ତେବେ କିଛି ସମୟ ପରେ ଉଭୟଙ୍କୁ ଜାମିନ୍‌ରେ ଛଡ଼ା ଯାଇଥିଲା। ଆଜି ମଧ୍ୟ ଶତାଧିକ କଂଗ୍ରେସ କର୍ମୀ ହାଥରାସ ଆସିବାକୁ ଚାହିବାରୁ ନଏଡ଼ା ସୀମାରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା।

ଗୃହବନ୍ଦୀରୁ ମୁକ୍ତି ମିଳିଛି: ପୀଡ଼ିତା ପରିବାର
ହାଥରାସ: ହାଥରାସରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୧୯ ବର୍ଷୀୟ ଦଳିତ ଯୁବତୀଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ରାଜ୍ୟର ଶତାଧିକ ସଂଗଠନ ସ୍ବର ଉତ୍ତୋଳନ କରିଛନ୍ତି। ୟୁପିର ବିଭିନ୍ନ ବିରୋଧୀ ଦଳ ନେତାମାନେ ହାଥରାସ୍‌ ଯାଇ ପୀଡ଼ିତା ପରିବାରକୁ ଭେଟିବାକୁ ପ୍ରୟାସ କରୁଥିବାରୁ ଏହାକୁ ନେଇ ସରକାର କଡ଼ା କଟକଣା ଲଗାଇଥିଲେ। ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ଛଡ଼ା ଯାଉନଥିଲା ଏବଂ ପରିବାରକୁ ଏକପ୍ରକାର ଗୃହବନ୍ଦୀ ଅବସ୍ଥାରେ ରଖାଯାଇଥିଲା। ଆଜି ପରିବାର ଲୋକେ କହିଛନ୍ତି, ଆମକୁ ନ୍ୟାୟ ଦେବାପାଇଁ ସରକାର ଆଶ୍ବସ୍ତ କରିଛନ୍ତି ଏବଂ ଗୃହବନ୍ଦୀ ଅବସ୍ଥାରୁ ମୁକ୍ତି ମିଳିଛି।

ରାହୁଲଙ୍କୁ ସ୍ମୃତିଙ୍କ ସମାଲୋଚନା ନ୍ୟାୟ ପାଇଁ ନୁହେଁ, ରାଜନୀତି ପାଇଁ ରାହୁଲଙ୍କ ହାଥରାସ ଗସ୍ତ
ନୂଆଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲଙ୍କ ହାଥ୍‌ରସ ଗସ୍ତ କେବଳ ରାଜନୀତି ଉଦ୍ଦେଶ୍ୟରେ, ପୀଡ଼ିତା‌ଙ୍କୁ ନ୍ୟାୟ ପାଇଁ ନୁହେଁ ବୋଲି ସ୍ମୃତି କହିଛନ୍ତି। କଂଗ୍ରେସର ଏହି ହୀନ ରାଜନୀତି ସମ୍ପର୍କରେ ଲୋକେ ସଚେତନ ଅଛନ୍ତି। କଂଗ୍ରେସର ଏଭଳି ଗୁଣ ଯୋଗୁଁ ୨୦୧୯ ନିର୍ବାଚନରେ ବିଜେପି ବିପୁଳ ଭୋଟ୍‌‌ରେ ବିଜୟୀ ହୋଇ ପାରିଲା ବୋଲି ସ୍ମୃତି କହିଛନ୍ତି। ସ୍ମୃତି କହିଛନ୍ତି, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ରାଜନୈତିକ ନେତାଙ୍କ ହାଥରସ ଗସ୍ତକୁ ମୁଁ ଅଟକାଇ ପାରିବିନି। ମାତ୍ର ସେହି ନେତାଙ୍କ ଗସ୍ତର ଅସଲ ଉଦ୍ଦେଶ୍ୟ ସମ୍ପର୍କରେ ଲୋକେ ଅବଗତ ଅଛନ୍ତି ବୋଲି ସେ କହିଛନ୍ତି। ଗତ ଗୁରୁବାର ଦିନ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଗ୍ରେଟର ନୋଏଡା ନିକଟରେ ଉତ୍ତରପ୍ରଦେଶ ପୁଲିସ ଅଟକାଇଥିଲା। ପୁଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତିକୁ ମଧ୍ୟ ସ୍ମୃତି ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର