କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଇତିହାସ

ନୂଆଦିଲ୍ଲୀ : ସମୟ ଥିଲା ଯେତେବେଳେ ସ୍ବାଧୀନତା ପରେ କେବଳ ଗାନ୍ଧି-ନେହରୁ ପରିବାରର ସଦସ୍ୟ ହିଁ କଂଗ୍ରେସର ଅଧ୍ୟକ୍ଷ ହେଉଥିଲେ। ୧୯୮୦ ଦଶକ ପରେ ସେଥିରେ ସାମାନ୍ୟ ପରିବର୍ତ୍ତନ ଘଟିଲା। ପିଭି ନରସିଂହ ରାଓ ଓ ସୀତାରାମ କେଶରୀ ଅଣ-ଗାନ୍ଧି ନେତାଭାବେ କଂଗ୍ରେସର ଅଧ୍ୟକ୍ଷ ହେବାର ସୁଯୋଗ ପାଇଲେ। ପରେ ପୁଣି ସେ ଧାରା ବଦଳିଲା। ୧୩୭ ବର୍ଷର ପୁରୁଣା ଦଳ ଅନେକ ଉତ୍ଥାନ-ପତନ ଦେଖିଛି। ଏବେ କଂଗ୍ରେସ ପୁଣି ଜଣେ ଅଣ-ଗାନ୍ଧି ନେତାଙ୍କୁ ଦଳର ନୂତନ ଅଧ୍ୟକ୍ଷ ଭାବେ ପାଇବାକୁ ଯାଉଛି। ସଭାପତି ନିର୍ବାଚନ ପାଇଁ ଦଳର ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ହେଉଛି । ଏହି ପରିପ୍ରେକ୍ଷୀରେ ଆମେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଇତିବୃତ୍ତ ଟିକେ ଆଲୋଚନା କରିବା।

ମୋତିଲାଲ ନେହରୁ, ଅମୃତସର, ୧୯୧୯
ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ୩୪ତମ ଅଧିବେଶନ ୧୯୧୯ ମସିହା ଡିସେମ୍ବର ୨୬ରେ ଅମୃତସରଠାରେ ମହାତ୍ମା ଗାନ୍ଧୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋତିଲାଲ ନେହରୁଙ୍କୁ ସର୍ବସମ୍ମତିକ୍ରମେ କଂଗ୍ରେସ ଅଧ୍ୟକ୍ଷଭାବେ ନିର୍ବାଚନ କରାଯାଇଥିଲା।

ଜବାହରଲାଲ ନେହରୁ, ଲାହୋର, ୧୯୨୯
ଲାହୋର ଅଧିବେଶନରେ ୧୯୨୯ ମସିହାରେ ମହାତ୍ମା ଗାନ୍ଧୀ ଜବାହରଲାଲ ନେହରୁଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତାବ ଦେଲେ। ସେତେବେଳେ ଜବାହରଲାଲଙ୍କ ବୟସ ମାତ୍ର ପ୍ରାୟ ୪୦ ବର୍ଷ ହେଲେ ବି ମହାତ୍ମା ଗାନ୍ଧୀଙ୍କ ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିନେଲେ। ଏଥିରେ ମୋତିଲାଲ ନେହରୁ ଖୁସି ହୋଇ ପାର୍ସି ଭାଷାରେ ଏକ ଦୁଇଧାଡ଼ିଆ କବିତା ଲେଖିଥିଲେ, ଯାହାର ଅର୍ଥ ହେଉଛି: ବାପା ଯାହା ପାରିଲାନି, ପୁଅ ତାହା କରିପାରିଲା। ସେତେବେଳେ ଜବାହରଲାଲ ନେହରୁଙ୍କୁ ଭବ୍ୟ ସ୍ବାଗତ-ସମ୍ବର୍ଦ୍ଧନା ଦିଆଯାଇଥିଲା।

ଇନ୍ଦିରା ଗାନ୍ଧି, ୧୯୫୯
ବାପା ଜବାହରଲାଲ ନେହରୁ ପ୍ରଧାନମନ୍ତ୍ରୀ ଥାଉଁଥାଉଁ ୧୯୫୯ ମସିହାରେ ଝିଅ ଇନ୍ଦିରାଙ୍କୁ କଂଗ୍ରେସର ଅଧ୍ୟକ୍ଷା କଲେ। ଅନେକେ ବୁଝିଗଲେ ଯେ ଝିଅକୁ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ କରାଇବା ହିଁ ନେହରୁଙ୍କ ଲକ୍ଷ୍ୟ। ସେତେବେଳେ ନେହରୁଙ୍କ ଅନୁଗତମାନେ ଏହାକୁ ବିରୋଧ କରି ନ ଥିଲେ। ୧୯୬୦ରେ ଯେତେବେଳେ ଇନ୍ଦିରାଙ୍କ କାର୍ଯ୍ୟକାଳ ସରିଗଲା, କଂଗ୍ରେସ କାର୍ଯ୍ୟକାରୀ କମିଟିର ବହୁ ସଦସ୍ୟ ତାଙ୍କୁ ପୁଣି ଉକ୍ତ ଦାୟିତ୍ବରେ ରହିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସେ ମନା କଲେ। ସେ ପୁଣି ସକ୍ରିୟ ରାଜନୀତିକୁ ଆସିଲେ ୧୯୬୪ରେ ନେହରୁଙ୍କ ମୃତ୍ୟୁ ପରେ।

ରାଜୀବ ଗାନ୍ଧି, ୧୯୮୪
ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଶିଖ୍-ବିରୋଧୀ ଦଙ୍ଗା ହେଲା ଏବଂ ରାଜୀବ ଗାନ୍ଧି ୩୧ ଅକ୍ଟୋବର ୧୯୮୪ରେ ପ୍ରଧାନମନ୍ତ୍ରୀ ହେଲେ। ଗାନ୍ଧି-ନେହରୁ ପରିବାରର ଚତୁର୍ଥ ପିଢ଼ି ଭାବେ ସେ ବି ହେଲେ କଂଗ୍ରେସର ଅଧ୍ୟକ୍ଷ। ସେତେବେଳେ କୌଣସି ଏଆଇସିସି ବା ସିଡବ୍ଲୁସି ରାଜୀବଙ୍କୁ ପଦୋନ୍ନତି ଦେଇ ନ ଥିଲା। ଦଳର ସାଧାରଣ ସମ୍ପାଦକମାନଙ୍କର ଏକ ବୈଠକ ଅକ୍ଟୋବର ୩୧ ସନ୍ଧ୍ୟାରେ ୨୪, ଆକବର ରୋଡ୍‌ରେ ଅନୁଷ୍ଠିତ ହେଲା। ଏହି ବୈଠକରେ ଇନ୍ଦିରାଙ୍କ ନିଧନ ପାଇଁ ଶୋକ ପ୍ରକାଶ କରାଗଲା ଏବଂ ବରିଷ୍ଠ କଂଗ୍ରେସ ନେତା କମଳାପତି ତ୍ରିପାଠୀ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ରାଜୀବଙ୍କ ନାଁ ପ୍ରସ୍ତାବ ଦେଇଥିଲେ।

The Hans India

ପିଭି ନରସିଂହ ରାଓ, ମେ ୧୯୯୧
କଂଗ୍ରେସରେ ଏକ ପାରିବାରିକ ଧାରା ଚାଲିଥିଲା। କିନ୍ତୁ ହଠାତ୍ ରାଜୀବଙ୍କ ନିଧନ ପରେ କିଏ କଂଗ୍ରେସର ମଙ୍ଗ ଧରିବ ସେ ନେଇ ଭାଳେଣି ପଡ଼ିଲା। ୧୨ ଜଣିଆ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି), ଦୁଇ ଜଣ ସ୍ଥାୟୀ ଓ ୪ ଜଣ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କର ଏକ ବୈଠକ ରାଜୀବଙ୍କ ମୃତ୍ୟୁର ୧୮ ଘଣ୍ଟା ପରେ ୨୪, ଆକବର ରୋଡ୍‌ରେ ହେଲା। କିଏ ବୈଠକରେ ଅଧ୍ୟକ୍ଷତା କରିବ ସେ ନେଇ ବିବାଦ ଦେଖାଦେଲା। ଦଳର ସମ୍ବିଧାନ ଅନୁସାରେ ବରିଷ୍ଠତମ ସାଧାରଣ ସମ୍ପାଦକ ଅଧ୍ୟକ୍ଷତା କରିବା କଥା। କିନ୍ତୁ କିଏ ବରିଷ୍ଠତମ ତା’ର ନିଷ୍ପତ୍ତି ହୋଇପାରିଲା ନାହିଁ। ସେତେବେଳେ ପ୍ରଣବ ମୁଖାର୍ଜୀ, ଯେ କି ଉତ୍ତରାଧିକାର ଦୌଡ଼ରେ ନ ଥିଲେ, ସେ ପିଭି ନରସିଂହ ରାଓଙ୍କ ନାଁ ପ୍ରସ୍ତାବ ଦେଲେ। ରାଓ ୧୯୯୧ ସାଧାରଣ ନିର୍ବାଚନ ପୂର୍ବରୁ ସକ୍ରିୟ ରାଜନୀତିରୁ ଅବସର ନେବାକୁ ଚାହିଲେ ଏବଂ ନିର୍ବାଚନରେ ଭାଗ ନେବେ ନାହିଁ ବୋଲି କହିଲେ। ସେ ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ବ ଥିଲେ ଏବଂ ଗାନ୍ଧି ପରିବାର ସହ ଘନିଷ୍ଠତା ଓ ବରିଷ୍ଠତା ଦୃଷ୍ଟିରୁ ତାଙ୍କ ଅଧ୍ୟକ୍ଷ ହେବା ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିନେଲେ। ବୈଠକ ଶେଷରେ ଅର୍ଜୁନ ସିଂହ ଏଆଇସିସି ମୁଖ୍ୟ ଭାବେ ସୋନିଆ ଗାନ୍ଧିଙ୍କ ନାଁ ପ୍ରସ୍ତାବ ଦେଲେ ଏବଂ ସମସ୍ତେ ତାକୁ ଗ୍ରହଣ କରିନେଲେ। ସେତେବେଳ ଯାଏ ରାଜୀବଙ୍କ ମରଶରୀର ଦାହ ହୋଇନି। ସୋନିଆଙ୍କୁ ସିଡବ୍ଲୁସିର ନିଷ୍ପତ୍ତି ଜଣାଇ ଦିଆଗଲା। ସେ ହଁ କି ନା କିଛି କହିଲେନି। କିନ୍ତୁ ଦିନକ ପରେ ସେ ଶୋକାବହ ପରିସ୍ଥିତି ଦୃଷ୍ଟିରୁ କଂଗ୍ରେସର ଅଧ୍ୟକ୍ଷ ହେବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଲେ। ସୋନିଆ ମନା କରିବା ପରେ ମେ ୨୩, ୧୯୯୧ରେ ଏଆଇସିସିର ବୈଠକ ହେଲା। ସମସ୍ତେ ରାଓଙ୍କୁ ଦଳର ମୁଖ୍ୟ ଭାବେ ସ୍ବୀକାର କଲେ।

ସୀତାରାମ କେଶରୀ, ୧୯୯୬
୧୯୯୬ ମସିହାରେ ରାଓ ଇସ୍ତଫା ଦେଲେ। ତା’ପରେ ୨୩ ସେପ୍ଟେମ୍ବର ୧୯୯୬ରେ ସିଡବ୍ଲୁସିର ବୈଠକ ବସିଲା ଏବଂ ସୀତାରାମ କେଶରୀଙ୍କୁ ଅଧ୍ୟକ୍ଷ ନିର୍ବାଚିତ କରାଗଲା।

National Herald

ସୋନିଆ ଗାନ୍ଧି, ୧୯୯୮
୧୯୯୮ ମାର୍ଚ୍ଚ ୧୪ରେ ସୀତାରାମ କେଶରୀଙ୍କୁ ଅସାମ୍ବିଧାନିକ ଭାବେ ବଳପୂର୍ବକ ହଟେଇ ସୋନିଆ ଗାନ୍ଧିଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଗଲା। କେଶରୀ ଏହାର ବିରୋଧ କଲେ କିନ୍ତୁ ତାଙ୍କୁ ସମର୍ଥନ କରିବାକୁ କେହି ନ ଥିଲେ। ୮୭ତମ ଏଆଇସିସି ମୁଖ୍ୟ ପଦରୁ ରାହୁଲ ଗାନ୍ଧି ଯେତେବେଳେ ୨୫ ମେ ୨୦୧୯ରେ ଇସ୍ତଫା ଦେଲେ ସେତେବେଳେ ସୋନିଆ ଗାନ୍ଧି ଦ୍ବିତୀୟ ଥର ପାଇଁ ଦଳର ଅଧ୍ୟକ୍ଷ ଦାୟିତ୍ବ ନେଲେ।

ରାହୁଲ ଗାନ୍ଧି, ୨୦୧୭-୧୯
ରାହୁଲ ଗାନ୍ଧି ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଉକ୍ତ ପଦରୁ ଇସ୍ତଫା ଦେଇଥିଲେ। ଏବେ ଖଡ଼ଗେ ଓ ଥରୁରଙ୍କ ମଧ୍ୟରୁ କିଏ ଅଧ୍ୟକ୍ଷ ହେବ ତାହା ଅକ୍ଟୋବର ୧୯ରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର