ଫୋନ୍‌-ଇନ୍‌-ପ୍ଲିଜ୍‌: ଶତ୍ରୁତା ହ୍ରାସ କରିବ କ୍ରିକେଟ୍‌

ପାକିସ୍ତାନ ସହ ଭାରତ ଦ୍ବିପାକ୍ଷିକ କ୍ରିକେଟ ସିରିଜ୍ ଖେଳାଯିବା ଉଚିତ। ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ତିକ୍ତତା କମିବ ଓ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ। ଚଳିତଥରର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌‌ରେ ଅଂଶଗ୍ରହଣ କରିଥିବା ଅଧିକାଂଶ ପାଠକ ଏପରି ମତ ରଖିଛନ୍ତି।

ପାକିସ୍ତାନ ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍ ଖେଳାଯିବା ଉଚିତ। ଦୁହେଁ ପଡ଼ୋଶୀ ଓ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ। ତେଣୁ ଦୁଇ ଦେଶ ମଧ୍ୟରେ ଅଧିକରୁ ଅଧିକ କ୍ରିକେଟ୍‌ ଖେଳାଗଲେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ। ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ଥିବା ତିକ୍ତ ସଂପର୍କରେ ବି ସୁଧାର ଆସିପାରିବ। ଶତ୍ରୁତା କମି ମିତ୍ରତା ବୃଦ୍ଧି ପାଇବ ବୋଲି ମୁଁ ଭାବୁଛି।
ରାକେଶ ବଳ, କେନ୍ଦ୍ରାପଡ଼ା

ଖେଳ ହିଁ ଏକମାତ୍ର ମାଧ୍ୟମ ଯେଉଁଠି ଛୁଆ-ଅଛୁଆଁ, ଜାତି-ଧର୍ମ-ବର୍ଣ୍ଣର କୌଣସି ସ୍ଥାନ ନଥାଏ। ସ୍ବାଧୀନତା ପରଠାରୁ ଦୁଇ ଦେଶ ମଧ୍ୟରେ ସଂପର୍କ ଏତେ ଖରାପ ହୋଇଯାଇଛି ଯେ ପରସ୍ପର ପରସ୍ପରକୁ ସବୁବେଳେ ଶତ୍ରୁ ବୋଲି ବିବେଚନା କରି ଆସୁଛନ୍ତି। ଏହି ଭାବନାକୁ ଦୂର କରିବାକୁ ହେଲେ ଖେଳ ହିଁ ଏକମାତ୍ର ମାଧ୍ୟମ ବୋଲି ମୁଁ ଭାବୁଛି। ଯେ‌ହେତୁ ଦୁଇ ଦେଶରେ କ୍ରିକେଟ୍‌ର ଲୋକପ୍ରିୟତା ରହିଛି, ତେଣୁ ଏହାକୁ ମାଧ୍ୟମ କରାଯିବା ଉଚିତ। ଦୁଇ ଦେଶ ମଧ୍ୟରେ ଅଧିକରୁ ଅଧିକ ଦ୍ବିପାକ୍ଷିକ କ୍ରିକେଟ୍‌ ଖେଳାଯିବା ଉଚିତ।
ଭାଗୀରଥି ଦାଶ, ଭୁବନେଶ୍ୱର

ପାକିସ୍ତାନ ସହ ଭାରତ ଦ୍ବିପାକ୍ଷିକ କ୍ରିକେଟ୍‌ ସିରିଜ୍‌ ଖେଳିବା ଉଚିତ। ଏହାଦ୍ବାରା ଖେଳାଳିଙ୍କ ଭିତରେ ଆଗ୍ରହ ବଢ଼ିବ‌ା ସହ ଦେଶ ଭିତରେ ମଧ୍ୟ ସମ୍ପର୍କ ମଧୁର ହେବ।
ଜଗନ୍ନାଥ ଜେନା, ବାସୁଦେବପୁର

ଭାରତ-ପାକିସ୍ତାନ ଦ୍ବିପାକ୍ଷିକ କ୍ରିକେଟ୍‌ ଖେଳିବା ଉଚିତ। ଯେଉଁଭଳି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଟି-୨୦ ଖେଳୁଛନ୍ତି, ସେହିଭଳି ଭାରତ ମଧ୍ୟ ଖେଳିଲେ ଉଭୟ ଦଳ ଓ ଦେଶ ମଧ୍ୟରେ ସମ୍ପର୍କ ଭଲ ହୋଇପାରିବ।
ପ୍ରକାଶ ରଣା, ଚକେଇସିଆଣି

ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ମ୍ୟାଚ୍‌ ହୋଇପାରୁଛି, ତେବେ ଦ୍ବି-ପାକ୍ଷିକ ମ୍ୟାଚ୍‌ ହେବାରେ ଅସୁବିଧା କେଉଁଠି। ଦ୍ବି-ପାକ୍ଷିକ ମ୍ୟାଚ୍‌ ଖେଳାଗଲେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଓ ବିରୋଧାଭାସ ହ୍ରାସ ପାଇବ। ପଡ଼ୋଶୀ ଭାବେ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ସହଯୋଗ ଓ ଭାଇଚାରା ବୃଦ୍ଧି ପାଇବ।
ଡାକ୍ତର ଦିନନାଥ ଦାସ, ଲକ୍ଷ୍ମୀସାଗର

ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳିବା ଉଚିତ। ମହିଳା ଏସିଆ କ୍ରିକେଟ୍‌‌ କପ୍‌ରେ ପାକିସ୍ତାନଠାରୁ ପରାଜିତ ହେବା ନିଶ୍ଚିତ ଭାବେ ଭାରତୀୟ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର। ୬ବର୍ଷ ପରେ ଭାରତଠାରୁ ପାକିସ୍ତାନ ଜିତିଛି।
ସୁଧାକର ଦାସ, ପିଏନ୍‌ କଲେଜ, ଖୋର୍ଦ୍ଧା

ଦୁଇ ଦେଶ ମଧ୍ୟରେ ଦ୍ବି-ପାକ୍ଷିକ କ୍ରିକେଟ୍‌ ଖେଳ ହେବା ଉଚିତ। ଏହାଦ୍ବାରା ତିକ୍ତତା ହ୍ରାସ ପାଇବ ଓ ସୁ-ସଂପର୍କ ସ୍ଥାପନ ହୋଇପାରିବ। କିନ୍ତୁ ଭାରତ ସରକାର ଯଦି ନ ଚାହିବେ, ତାହା ସମ୍ଭବ ହୋଇପାରିବ ନାହିଁ।
ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର ଭୁବନେଶ୍ବର
ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର, ଭୁବନେଶ୍ବର

‌କ୍ରୀଡ଼ା ସଦାସର୍ବଦା ରାଜନୀତି ଓ କୂଟନୀତିଠାରୁ ଊର୍ଦ୍ଧ୍ବରେ ରହିବା ଉଚିତ। କିନ୍ତୁ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରି ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବାରୁ ତା’ ସହ ଦ୍ବି-ପାକ୍ଷିକ କ୍ରିକେଟ୍‌ ଖେଳାଯିବା ଉଚିତ ନୁହେଁ। ତେବେ ବଡ଼ ବଡ଼ ଟୁର୍ଣ୍ଣା‌ମେଣ୍ଟ‌ରେ ପରସ୍ପର ଭେଟାଭେଟି ହେଲେ କିଛି ଅସୁବିଧା ନାହିଁ।
ଶ୍ୟାମଳେନ୍ଦୁ ମହାନ୍ତି, ଜଗତସିଂହପୁର

ପାକିସ୍ତାନ ସହ ଭାରତ ମୋଟେ ଦ୍ବିପାକ୍ଷିକ ସିରିଜ୍‌ ଖେଳିବା ଉଚିତ ନୁହେଁ। କାରଣ ସେଥିରୁ ଯେଉଁ ଟଙ୍କା ଆସିବ, ସେଥିରେ ପାକିସ୍ତାନର ଆତଙ୍କବାଦୀ ପୋଷା ହେବେ ଓ ସେଇ ଆତଙ୍କବାଦୀ ଭାରତରେ ନରସଂହାର କରି ଅଶାନ୍ତି ସୃଷ୍ଟି କରିବେ।
ଆହ୍ୱାନ ପାଇକରାୟ, ଭୁବନେଶ୍ବର

ପାକିସ୍ତାନ ସହ ଭାରତ ଦ୍ବିପାକ୍ଷିକ କ୍ରିକେଟ୍ ଖେଳିବା ଜରୁରୀ। କାରଣ ଦୁଇ ଦେଶରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ।
ନୀଳମଣି ମିଶ୍ର, ସୁନ୍ଦରପଦା, ଭୁବନେଶ୍ବର

ଉଭୟ ଦେଶ ମଧ୍ୟରେ ଅଧିକରୁ ଅଧିକ ଦ୍ବି-ପାକ୍ଷିକ ମ୍ୟାଚ୍‌ ଖେଳାଯିବା ଉଚିତ। ଏହାଦ୍ବାରା ବିସିସିଆଇର ଲାଭ ହେବ। ଆଉ ମଧ୍ୟ ବାବର ଓ ବିରାଟ କୋହଲି ମଧ୍ୟରୁ କିଏ ଭଲ ଖେଳାଳି, ତାହା ସ୍ପଷ୍ଟ ହୋଇଯିବ।
ବିଜୟ ପରମାଣିକ, ଭୁବନେଶ୍ବର

ସମ୍ବନ୍ଧିତ ଖବର