ଭାରତର ପଡୋଶୀ ଦେଶରେ ‘ଇଣ୍ଡିଆ ଆଉଟ୍’ଅଭିଯାନ : ଭାରତୀୟ ଉତ୍ପାଦକୁ ବହିଷ୍କାର ଅପିଲ୍, ବଢୁଛି ଭାରତ ଚିନ୍ତା

ଢାକା: ବାଂଲାଦେଶରେ ଜାନୁୟାରୀରେ ହୋଇଥିବା ସାଧାରଣ ନିର୍ବାଚନରେ ଶେଖ୍ ହସିନାଙ୍କ ନେତୃତ୍ବରେ ଶାସକ ଅୱାମୀ ଲିଗ୍ ଚତୁର୍ଥ ଥର ପାଇଁ କ୍ଷମତା ଦଖଲ କରିଛି। ଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ନିର୍ବାଚନ ବହିଷ୍କାର କରିବା ସହ ଭାରତ ନିର୍ବାଚନକୁ ପ୍ରଭାବିତ କରୁଥିବା ଅଭିଯୋଗ ଆଣିଥିଲା।
ଦି ଡିପ୍ଲୋମାଟ୍ ଖବର ଅନୁସାରେ ବାଂଲାଦେଶରେ ‘ଇଣ୍ଡିଆ ଆଉଟ୍’ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ଭାରତୀୟ ଉତ୍ପାଦକୁ ବହିଷ୍କାର ଅପିଲ୍ କରାଯାଉଛି। ଅଭିଯୋଗ ହୋଇଛି ଭାରତ ଆୱାମୀ ଲିଗ୍ କୁ ନିଜର ସମର୍ଥନ କରିବା ପଛରେ ଉଦ୍ଦେଶ୍ୟ ହେଉଛି ନିଜର ଆର୍ଥିକ ସ୍ଥିତି ସୁଧାର ତଥା ସୁରକ୍ଷାକୁ ସୁଦୃଢ଼ କରିବା। ସୋସିଆଲ ମିଡ଼ିଆ ୟୁଜର୍ସ ଭାରତକୁ ବାଂଲାଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ କହିବା ସହିତ ଭାରତୀୟ ଉତ୍ପାଦକୁ ବହିଷ୍କାର କରିବା ପାଇଁ ଅପିଲ୍ କରୁଛନ୍ତି।

ଦେଶର ସାଧାରଣ ନିର୍ବାଚନରେ ଆୱାମୀ ଲିଗ୍ ଦ୍ବାରା ଲଗାତାର ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଆଇନ ବ୍ୟବସ୍ଥା ଏବଂ ଆଇନ ପ୍ରଣୟନକାରୀ ସଂସ୍ଥା ଦୁର୍ବଳ ହେବାରେ ଲାଗିଥିବା କୁହାଯାଉଛି। ରାଜନୈତିକ ବିରୋଧୀଙ୍କ ପ୍ରତି ଶାସକ ଦଳ ପକ୍ଷରୁ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣରେ ଭାରତର ପ୍ରଭାବ ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି।
ବାଂଲାଦେଶର ପୂର୍ବତନ ବିଦେଶ ସଚିବ ତୌହିଦ ହୁସେନ ନିଜର ପୁସ୍ତକ ‘୧୯୭୧-୨୦୨୧: ବାଂଲାଦେଶ-ଭାରତ ସମ୍ପର୍କରୋ ପୋଞ୍ଚାଶ ବୋଚାର’ରେ କହିଛନ୍ତି ବାଂଲାଦେଶରେ ପ୍ରମୁଖ ପଦବୀରେ ନିଯୁକ୍ତି ପାଇଁ ଭାରତର ସହମତି ଆବଶ୍ୟକ ହୋଇଥାଏ। ବାଂଳାଦେଶର ସୈନ୍ୟ ବିଭାଗ, ଭାରତୀୟ ଦୂତାବାସ ଏବଂ ଅନ୍ୟ ପଦବୀ‌ରେ ନିଯୁକ୍ତି କ୍ଷେତ୍ରରେ ଭାରତର ପ୍ରଭାବ ରହୁଥିବା ପୁସ୍ତକରେ ପ୍ରକାଶ ପାଇଛି। ଏବେ ‘ଇଣ୍ଡିଆ ଆଉଟ୍’ଅଭିଯାନରେ ମଧ୍ୟ ପୁସ୍ତକରେ ଉଲ୍ଲେଖ ଥିବା ତଥ୍ୟର ପ୍ରତିଫଳନ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର