ଦିଲ୍ଲୀବାସୀଙ୍କ ପାଇଁ ସତ୍ୟେନ୍ଦ୍ର ଜୈନ ହିରୋ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କ ନିୟମିତ ଜାମିନ ଆବେଦନ ଖାରଜ ହୋଇଯାଇଛି । ଏହାର କିଛି ଘଣ୍ଟା ପରେ ସେ ତିହାର ଜେଲକୁ ଫେରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସତ୍ୟେନ୍ଦ୍ର ଜୈନଙ୍କ ସମର୍ଥନରେ ବାହାରିଛନ୍ତି । ତାଙ୍କୁ ସେ ଦିଲ୍ଲୀବାସୀଙ୍କ ପାଇଁ ହିରୋ ବୋଲି କହିବା ସହ ତାଙ୍କ ପାଇଁ ଦୁଃଖିତ ବୋଲି କହିଛନ୍ତି।

‘ଏକ୍ସ’ରେ କେଜ୍ରିୱାଲ ଲେଖିଛନ୍ତି, ସେ ସମସ୍ତ ଦିଲ୍ଲୀବାସୀଙ୍କ ପାଇଁ ହିରୋ। ସେ ଦିଲ୍ଲୀରେ ୨୪×୭ଟି ବିଜୁଳି, ମାଗଣା ବିଜୁଳି, ଉତ୍ତମ ସରକାରୀ ଡାକ୍ତରଖାନା ଓ ମୋହଲ୍ଲା କ୍ଲିନିକ୍ ଯୋଗାଇଦେବାର ବ୍ୟବସ୍ଥା କରିଥିଲେ। ଭଗବାନ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ।

ଉତ୍ତର-ପଶ୍ଚିମ ଦିଲ୍ଲୀର ସରସ୍ୱତୀ ବିହାରସ୍ଥିତ ନିଜ ବାସଭବନରୁ ସନ୍ଧ୍ୟା ପ୍ରାୟ ୬ଟାବେଳେ ଜୈନ ଜେଲରେ ଆତ୍ମସମର୍ପଣ କରିବାକୁ ବାହାରିଥିଲେ। ଆତ୍ମସମର୍ପଣ ପାଇଁ ଏକ ସପ୍ତାହ ସମୟ ମାଗିଥିବା ଜୈନଙ୍କ ଓକିଲଙ୍କ ମୌଖିକ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।

ଜୈନଙ୍କ ନିୟମିତ ଜାମିନ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଜାନୁଆରୀ ୧୭ରେ ରାୟ ସଂରକ୍ଷିତ ରଖିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ୨୦୨୩ ମେ ୨୬ରେ ଜୈନଙ୍କୁ ଡାକ୍ତରୀ ଆଧାରରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଏବଂ ଏହାକୁ ସମୟ ସମୟରେ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର