ଚୀନ ସେନାର ଉତ୍ପାତ ପରେ ଅରୁଣାଚଳ ଆକାଶ ସୀମାରେ ପଇଁତରା ମାରିଲା ଭାରତୀୟ ଲଢୁଆ ବିମାନ

ନୂଆଦିଲ୍ଳୀ: ଚୀନ ସନାର ଉତ୍ପାତ ପରେ ଅରୁଣାଚଳପ୍ରଦେଶ ଆକାଶ ସୀମାରେ ଆକ୍ଟିଭ୍‌ କମ୍ବାଟ୍‌ ଏୟାର୍‌ ପାଟ୍ରୋଲିଂ ଆରମ୍ଭ କରିଛି ଭାରତୀୟ ବାୟୁସେନା। ଚୀନ ପକ୍ଷରୁ ହେଉଥିବା ବାୟୁକ୍ଷେତ୍ର ଉଲ୍ଲଂଘନକୁ ରୋକିବା ପାଇଁ ଭାରତୀୟ ବାୟୁସେନା ଏହି ପଦକ୍ଷେପ ଗ୍ରହଣ କରିଛି। ମଙ୍ଗଳବାର ଦିନ ଏ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଚୀନ ସେନାର ବାୟୁକ୍ଷେତ୍ର ଉଲ୍ଲଂଘନକୁ ରୋକିବାକୁ ଭାରତୀୟ ବାୟୁସେନାର ଲଢୁଆ ବିମାନ ୨-୩ ଥର ଆକାଶ ସୀମାରେ ପଇନ୍ତରା ମାରିଛି।

ଅରୁଣାଚଳପ୍ରଦେଶର ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଭାରତ ଏବଂ ଚୀନ୍‌ ସେନା ମୁହାଁମୁହିଁ ହେବା ପରେ ଭାରତୀୟ ବାୟୁସେନା ଏପରି ନିଷ୍ପତ୍ତି ନେଇଛି। ସୋମବାର ଦିନ ଜଣାପଡ଼ିଲା ଯେ  ଡିସେମ୍ବର ୯ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ମିଳିଥିବା ସୂଚନାନୁଯାୟୀ ଚୀନ୍‌ ସୈନିକମାନେ ପ୍ରଥମେ ଏଲ୍‌ଏସି ଅତିକ୍ରମ କରିବା ପରେ ଭାରତୀୟ ସୈନିକ ଏହାର କଡ଼ା ଜବାବ ଦେଇଥିଲେ। ସଂଘର୍ଷ ଯୋଗୁଁ ଉଭୟ ଭାରତ ଏବଂ ଚୀନ୍‌ର କିଛି ସୈନିକ ଆହତ ହୋଇଛନ୍ତି। ତେବେ ଉଭୟ ଭାରତ ଏବଂ ଚୀନ୍‌ ତୁରନ୍ତ ଏହି ସ୍ଥାନରୁ ସେନା ପ୍ରତ୍ୟାହାର କରିନେଇଥିଲେ।

ଦୀର୍ଘ ବ୍ୟବଧାନ ପରେ ପୁଣି ଭାରତ-ଚୀନ ସେନା ମୁହାଁମୁହିଁ ହୋଇଛନ୍ତି। ଦୁଇ ସେନା ମଧ୍ୟରେ ସବୁଠାରୁ ଖରାପ ପରିସ୍ଥିତି ଉପୁଜିଥିଲା ୨୦୨୦ ମସିହା ଜୁନ୍‌ ମାସରେ। ଗଲୱାନ ଘାଟୀରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ ଓ ଚୀନର ୪୦ରୁ ଅଧିକ ସୈନିକ ନିହତ ଓ ଆହତ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର