୮ ନୌସୈନିକଙ୍କ ଜେଲଦଣ୍ଡ ବିରୋଧରେ ଅପିଲ୍ କରିବ ଭାରତ

ନୂଆଦିଲ୍ଲୀ: କତର ଜେଲରେ ଥିବା ୮ ଜଣ ପୂର୍ବତନ ଭାରତୀୟ ନୌସୈନିକଙ୍କୁ ଡିସେମ୍ବର ୨୮ତାରିଖରେ ସେଠାକାର ଅଦାଲତ ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଇବା ସହ ତାହାକୁ ଜେଲଦଣ୍ଡରେ ପରିବର୍ତ୍ତନ କରିଦେଇଥିଲେ । ଏହାକୁ ନେଇ ଭାରତରେ ଆଶ୍ବସ୍ତି ପ୍ରକାଶ ପାଇଥିଲା । ଏବେ ଜେଲଦଣ୍ଡରୁ ମୁକ୍ତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଗୁରୁବାର (ଜାନୁଆରୀ ୪) ଭାରତ କହିଛି ଯେ ୮ ଜଣଙ୍କୁ ଦିଆଯାଇଥିବା ଜେଲ ଦଣ୍ଡାଦେଶ ବିରୋଧରେ ଆବେଦନ କରାଯିବ । କତରର ନିୟମ ଅନୁସାରେ ରାୟ ପ୍ରକାଶର ୬୦ ଦିନ ମଧ୍ୟରେ ଏହି ଆବେଦନ କରାଯିବ ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଗତ ଡିସେମ୍ବର ୨୮ତାରିଖରେ କତର କୋର୍ଟ ଅଫ୍ ଆପିଲ ରାୟ ଶୁଣାଇଥିଲେ। ଏହାପରେ ଆମେ କହିଥିଲୁ ଯେ ଏହି ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି । ଆମର ଓକିଲ ଦଳ ପାଖରେ ଏବେ ଅଦାଲତଙ୍କ ଉକ୍ତ ଆଦେଶ ପହଞ୍ଚିଛି । ଏହା ଏକ ଗୋପନୀୟ ଆଦେଶ। ତେବେ ଜଣାପଡ଼ିଛି ଯେ ଆଠ ଜଣଙ୍କୁ ଭିନ୍ନ ଭିନ୍ନ ଅବଧିରେ ଦଣ୍ଡିତ କରାଯାଇଛି ।

“ମୃତ୍ୟୁଦଣ୍ଡ ଉଚ୍ଛେଦ କରାଯାଇଛି। ଆମ ପାଖରେ ୬୦ ଦିନ ଅଛି ଏବଂ ଆମେ କତରର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇପାରିବୁ। ଆଇନଜୀବୀ ଦଳ ଏ ନେଇ କାର୍ଯ୍ୟ କରୁଛନ୍ତି। ଆମେ ଆଇନଜୀବୀ ଦଳ ଏବଂ ପରିବାର ସହ ଯୋଗାଯୋଗରେ ଅଛୁ“ ସେ କହିଛନ୍ତି ।

ସମ୍ବନ୍ଧିତ ଖବର