ଭାରତର ଭୂଗୋଳ ଓ ଋତୁପରିବର୍ତ୍ତନ ଯୋଗୁଁ କମିଛି କୋଭିଡ୍‌ ମୃତ୍ୟୁ

ମୁମ୍ବାଇ: ମହାମାରୀ କୋଭିଡ୍‌ ପ୍ରକୋପରେ ଆମେରିକା, ୟୁକେ, ବ୍ରାଜିଲ ଏବଂ ମେକ୍ସିକୋ ଆଦି ରାଷ୍ଟ୍ରରେ ସଂଖ୍ୟାଧିକ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ବିଶ୍ବର ଦ୍ବିତୀୟ ଜନବହୁଳ ରାଷ୍ଟ୍ର ଭାରତରେ କୋଭିଡ୍‌ ମୃତ୍ୟୁହାର ଅନ୍ୟମାନଙ୍କ ଅପେକ୍ଷା ଏତେ କମ୍‌ ରହିବା ଆଶ୍ଚର୍ଯ୍ୟର କଥା। ତେବେ ଭାରତର ଭୌଗୋଳିକ ସ୍ଥିତି ଏବଂ ଋତୁକାଳୀନ ପରିବର୍ତ୍ତନ ଯୋଗୁଁ ଏପରି ସ୍ଥିତି ହୋଇଛି ବୋଲି ମୁମ୍ବାଇ ସ୍ଥିତ ଦେଶର ଅଗ୍ରଣୀ କର୍କଟ ଡାକ୍ତରଖାନା ଟାଟା ମେମୋରିଆଲ୍‌ ହସ୍ପିଟାଲ୍‌ର ଚିକିତ୍ସା ବିଶେଷଜ୍ଞମାନେ ମତ ରଖିଛନ୍ତି।

ସୂଚନାନୁଯାୟୀ, ବିଗତ ସାଢ଼େ ୪ ମାସ ଭିତରେ ଭାରତରେ ୪୫ ହଜାର କୋଭିଡ୍‌ ମୃତ୍ୟୁ ଦେଖିବାକୁ ମିଳିଛି। ଅପରପକ୍ଷେ, ସେହି ସମୟରେ ଆମେରିକାରେ ସେହି ସଂଖ୍ୟା ଲକ୍ଷେ ୬୬ ହଜାର ଟପିଛି। ଭାରତରେ ଏହି ମୃତ୍ୟୁହାର ୨.୨ ପ୍ରତିଶତ ବୋଲି କିଛି ଦିନ ତଳେ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇ ନିଜର ପରୀକ୍ଷଣ-ନିରୀକ୍ଷଣ-ନିବାରଣ ଯୋଜନା ଯୋଗୁଁ ମୃତ୍ୟୁହାର ଏଭଳି କମ୍‌ ହୋଇଛି ବୋଲି ବାହାବା ନେଇଥିଲା। ତେବେ କୋଭିଡ୍‌ ସଂକ୍ରମିତ କର୍କଟ ରୋଗୀଙ୍କୁ ଚିକିତ୍ସା କରୁଥିବା ଟାଟା ମେମୋରିଆଲ୍‌ର ନିର୍ଦ୍ଦେଶକ ଡା. ରାଜେନ୍ଦ୍ର ବାଦୱେଙ୍କ କହିବା କଥା, ଏହି ଭୂତାଣୁର ପ୍ରକୋପ ଅନୁଧ୍ୟାନ କରିବା ଲାଗି କୋଭିଡ୍‌ ମୃତ୍ୟୁହାର ଅପେକ୍ଷା ପ୍ରକୃତ ସଂକ୍ରମିତଙ୍କ ହାର ବିଚାରକୁ ନିଆଯିବା ଦରକାର।

ଯେହେତୁ ସଂକ୍ରମିତଙ୍କ ସଂଖ୍ୟା ନମୁନା ପରୀକ୍ଷଣ ଉପରେ ନିର୍ଭର କରୁଛି, ତେଣୁ ତାହାକୁ ତୁଳନା କରିବା ଭରସାଯୋଗ୍ୟ ନୁହେଁ। ଅପରପକ୍ଷେ, ଚୀନ୍‌, ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଘଟିଥିବା କୋଭିଡ୍‌ ମାମଲାରେ ଆକ୍ରାନ୍ତମାନଙ୍କର ମୃତ୍ୟୁ ପାଇଁ ଭେନସ୍‌ ଥ୍ରମ୍ବୋଏମ୍ବୋଲିଜମ୍‌ ନାମକ ଲକ୍ଷଣ ପ୍ରମୁଖ କାରଣ ବୋଲି ଜଣାଯାଇଛି। ଏହା ଏପରି ଏକ ଲକ୍ଷଣ ଯାହା ଫଳରେ ଶରୀରର ତଳିପେଟ, ଜଂଘ ଏବଂ ଡେଣା ଆଦିର ଗଭୀର ଶିରାରେ ରକ୍ତ ଜମାଟ ବାନ୍ଧି ରୋଗୀକୁ ମୃତ୍ୟୁମୁଖରେ ପକାଏ। ତେବେ ଏହି ଲକ୍ଷଣ ଭାରତ ପରି ଉଷ୍ମ ଜଳବାୟୁ ସଂପନ୍ନ ଦେଶମାନଙ୍କରେ କମ୍‌ ଦେଖାଦେଇଥାଏ। ସେହିପରି କୋଭିଡ୍‌-୧୯ ସଂକ୍ରମିତଙ୍କ ଠାରେ ଆଣ୍ଟିଫସଫୋଲିପିଡ୍‌ (ଏପିଏଲ୍‌) ସ୍ତର ବଢ଼ିଯାଇଥାଏ ଯାହା କି ଶରୀରର ଶିରା ଫାଟି ରକ୍ତସ୍ରାବ ଘଟାଇଥାଏ। ତେବେ ଭାରତ ଉଷ୍ମ ଜଳବାୟୁ ଅଞ୍ଚଳରେ ଥିବାରୁ ସେଠାରେ ଶରୀରର ଏପିଏଲ୍‌ ମାତ୍ରା ଶୀତକାଳୀନ ଦେଶରେ ସମ୍ଭବ ହେଉଥିବା ବିପଜ୍ଜନକ ସ୍ତର ଛୁଇଁନଥାଏ। ସୁତରାଂ ଭାରତୀୟମାନଙ୍କର ଏହି କାରଣରୁ କୋଭିଡ୍‌ ମୃତ୍ୟୁ ହାର କମ୍‌ ରହୁଛି ବୋଲି ଡା. ବାଦୱେ କହିଛନ୍ତି।

ସମ୍ବନ୍ଧିତ ଖବର