ଭାରତର ଅଭିବୃଦ୍ଧି ୭ ପ୍ରତିଶତ ରହିବ: ନିର୍ମଳା

ୱାସିଂଟନ: ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୭ ପ୍ରତିଶତ ରହିପାରେ। ଆଇଏମଏଫ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଆର୍ଥିକ ଓ ବିତ୍ତୀୟ କମିଟିର ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ସରକାରଙ୍କ ଅନୁକୂଳ ନୀତି ସହିତ ଢାଞ୍ଚାଗତ ସଂସ୍କାର କାରଣରୁ ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ‌ଭଲ ରହିଛି। ୨୦୨୩ରେ ଭାରତ ବିଶ୍ବର ଦ୍ରୁତତମ ଅର୍ଥନୈତିକ ଅଭିବୃଦ୍ଧି ସଂପନ୍ନ ରାଷ୍ଟ୍ର ରହିବ ବୋଲି ଆଇଏମ୍‌ଏଫ୍‌ ଏବଂ ବିଶ୍ବବ୍ୟାଙ୍କ ଆକଳନ କରିଛନ୍ତି।

ଭାରତୀୟ ଅର୍ଥନୀତିର ଗତି ଠିକ୍ ରହିବ ଏବଂ ୨୦୨୨-୨୩ରେ ୭ ପ୍ରତିଶତ ହାରରେ ବଢ଼ିବା ନେଇ ଅର୍ଥନୈତିକ ସର୍ଭେରେ ଦର୍ଶାଯାଇଥିବା ବିଷୟରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। କରୋନା ମହାମାରୀ ସମୟରେ ଡିଜିଟାଲ ଆର୍ଥିକ କାରବାରର ଗୁରୁତ୍ବ ସଂପର୍କରେ ଆମକୁ ଶିକ୍ଷା ଦେଇଛି। ବିଶେଷକରି ଡିଜିଟାଲ ସରକାରୀ ଭିତ୍ତିଭୂମି ବ୍ୟବସ୍ଥା ବିଶ୍ବ ଅର୍ଥନୀତିକୁ ଆଗକୁ ନେବ ବୋଲି ସେ କହିଛନ୍ତି। ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା ଶ୍ରୀଲଙ୍କା ଏବଂ ସୁରିନାମ ଭଳି ଦେଶକୁ ଯେଉଁସବୁ ଦେଶ ସହାୟତା କରିଛନ୍ତି ସେଥିରେ ଭାରତ ରହିଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର