୨୦୨୨ ସୁଦ୍ଧା ଭାରତୀୟ ବାୟୁସେନାରେ ୩୬ଟି ରାଫେଲ୍‌ ଲଢୁଆ ବିମାନ ସାମିଲ କରାଯିବ: ବାୟୁସେନା ମୁଖ୍ୟ

ହାଇଦ୍ରାବାଦ: ୨୦୨୨ ସୁଦ୍ଧା ଭାରତୀୟ ବାୟୁସେନାରେ ୩୬ଟିଯାକ ରାଫେଲ୍‌ ଲଢୁଆ ବିମାନ ସାମିଲ କରାଯିବ ବୋଲି ଶନିବାର ଦିନ ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ହାଇଦ୍ରାବାଦ ଅନ୍ତର୍ଗତ ଦୁନ୍ଦିଗଲସ୍ଥିତ ‘ଏୟାର୍‌ ଫୋର୍ସ ଏକାଡେମି’ରେ ଅନୁଷ୍ଠିତ ମିଳିତ ସ୍ନାତ‌କତ୍ତୋର ପରେଡ୍‌ ସମୀକ୍ଷା କରିବା ଅବସରରେ ଗଣମାଧ୍ୟମକୁ କହିଛନ୍ତି।

Image Courtesy of The Economic Times

ଫ୍ରାନ୍‌ସ୍‌ରୁ ୩୬ଟିଯାକ ରାଫେଲ୍‌ ଲଢୁଆ ବିମାନ ପାଇବାର ସମୟ ଅବଧି ସଂକ୍ରାନ୍ତରେ ପଚାରିଥିବା ସାମ୍ବାଦିକମାନଙ୍କୁ ସେ କହିଲେ, ରାଫେଲ୍‌ ସାମିଲ ଯୋଜନା ପ୍ରତି ଦୃଷ୍ଟି ଦେଇ ଭାରତୀୟ ବାୟୁସେନା ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି। ୨୦୨୨କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ ଚାଲିଛି। ପୂର୍ବରୁ ମୁଁ କହିଛି, କୋଭିଡ୍‌ବିଜଡ଼ିତ ସମସ୍ୟା କାରଣରୁ ଗୋଟିଏ ଦୁଇଟି ଲଢୁଆ ବିମାନ ଆସିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। କିନ୍ତୁ, ପ୍ରକୃତରେ ଦେଖିବାକୁ ଗଲେ କେତୋଟି ଲଢୁଆ ବିମାନ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଛି। ତେଣୁ, ମୋଟ୍‌ଉପରେ କହିଲେ, ରାଫେଲ୍‌ ସାମିଲ ଯୋଜନା ଲକ୍ଷ୍ୟରେ ଆମେ ସୁନିଶ୍ଚିତ ଭାବେ ଅଗ୍ରସର ହେଉଛୁ।

ରାଫେଲ୍‌ ଲଢୁଆ ବିମାନର ଆଭିଯାନିକ ପ୍ରସ୍ତୁତି ଯୋଜନା ସଂକ୍ରାନ୍ତରେ ସେ କହିଲେ ଯେ, ଆମେ ସେଗୁଡ଼ିକୁ ଆଭିଯାନିକ କ୍ଷେତ୍ରରେ ଚଳାଇବାକୁ ସମ୍ପୂର୍ଣ୍ଣ ସମର୍ଥ। ସମୟାନୁଯାୟୀ ଆମେ ସବୁଗୁଡ଼ିକୁ ଆଭିଯାନିକ କ୍ଷେତ୍ରରେ ପ୍ରୟୋଗ କରିବୁ।

ସମ୍ବନ୍ଧିତ ଖବର