ମୋଦିଙ୍କୁ ବିଭା ହେବା ଲାଗି ମାସେ ହେବ ଯନ୍ତର ମନ୍ତର ଠାରେ ଧାରଣା ଦେଇଥିବା ଜୟପୁରୀ ମହିଳା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭା ହେବା ପାଇଁ ଜଣେ ୪୦ ବର୍ଷୀୟ ମହିଳା ଦିଲ୍ଲୀସ୍ଥିତ ଯନ୍ତର ମନ୍ତର ଠାରେ ଧାରଣାରେ ବସିଛନ୍ତି। ଗୋଟାଏ ବିଚିତ୍ର କାରଣ ଦର୍ଶାଇ ଧାରଣା ଦେଇଥିବା ଏହି ମହିଳାଙ୍କର ମାନସିକ ସ୍ଥିତି କ’ଣ ତାହା ଜଣାପଡ଼ି ନାହିଁ।

ରାଜସ୍ଥାନ ଅନ୍ତର୍ଗତ ଜୟପୁରରୁ ଆସିଥିବା ଓମ୍‌ ଶାନ୍ତି ଶର୍ମା ଗତ ସେପ୍ଟେମ୍ବର ୮ ତାରିଖରୁ ଧାରଣାରେ ବସିଛନ୍ତି। ସେ ସଫେଇ ଦେଇ କହିଛନ୍ତି ଯେ ତାଙ୍କର ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ଭଲ ଅଛି। ପ୍ରଧାନମନ୍ତ୍ରୀ ମୋଦି ଏକେଲା ଏବଂ ତାଙ୍କର ଅନେକ କାର୍ଯ୍ୟ ଥିବାରୁ ଶାନ୍ତି କେବଳ ତାଙ୍କର ସେବା କରିବାକୁ ଚାହାଁନ୍ତି ବୋଲି କହିଛନ୍ତି।

ମୁଁ ପୂର୍ବରୁ ବାହା ହୋଇ ଥିଲି କିନ୍ତୁ ସେ ବନ୍ଧନ ସ୍ଥାୟୀ ହୋଇ ପାରିଲା ନାହିଁ। ଗତ କେତେ ବର୍ଷ ହେବ ମୁଁ ଏକେଲା ରହୁଛି। ବହୁ ବିବାହ ପ୍ରସ୍ତାବକୁ ମୁଁ ମନା କରି ଦେଇଛି। ନରେନ୍ଦ୍ର ମୋଦିଙ୍କୁ ବିଭା ହେବା ପାଇଁ ଏବେ ମୁଁ ଏଠାକୁ ଆସିଛି ବୋଲି ଯନ୍ତର ମନ୍ତରର ଗୋଟିଏ ପାର୍ଶ୍ୱରେ ଛୋଟ ଚାଳିଆଟିରେ ବସି ଶାନ୍ତି କହନ୍ତି।

ବିବାହର କାରଣ:
ସେ କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଭା ହେବାକୁ ଚାହାନ୍ତି ଏବଂ କାହିଁକି ଧାରଣାରେ ବସିଛନ୍ତି ବୋଲି ପଚରା ଯିବାରୁ ସେ କହନ୍ତି: ମୁଁ ଜାଣେ ତାଙ୍କୁ ଭେଟିବା ସକାଶ ଲୋକେ ମତେ ଅନୁମତି ଦେବେ ନାହିଁ। କିନ୍ତୁ, ମୁଁ ଏ କଥା ମଧ୍ୟ ଜାଣେ ଯେ ତାଙ୍କର ସହାୟତା ଆବଶ୍ୟକ। ସେ ମୋ ପରି ଏକେଲା।

ଏଠି ଲୋକେ ମୋ କଥା ଶୁଣି ହସୁଛନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହେଁ ମୁଁ ତୁଚ୍ଛାଟାରେ ମୋଦିଙ୍କୁ ବିଭା ହେବାକୁ ଚାହୁଁ ନାହିଁ, ତାଙ୍କ ପ୍ରତି ମୋର ସମ୍ମାନ ବୋଧ ରହିଛି। ଆମ ସଂସ୍କୃତିରେ, ପିଲାଟି ବେଳୁ ଶିକ୍ଷା ଦିଆ ଯାଇଥାଏ: ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ କରିବା।

ଶାନ୍ତି ବିତ୍ତଶାଳୀ:
ପିଛିଲା ବିବାହରୁ ଶାନ୍ତିଙ୍କର ଗୋଟିଏ ୨୦ ବର୍ଷୀୟା ଝିଅ ଅଛି। ଗୁଡ଼ାଏ ଜମିବାଡ଼ି ଏବଂ ଟଙ୍କା ପଇସା ଥିବାରୁ ସେ ତା’ର ଭବିଷ୍ୟତ ନେଇ ଚିନ୍ତିତା ନୁହନ୍ତି।

ଶାନ୍ତି କହନ୍ତି: ଜୟପୁରରେ ମୋର ବହୁତ ଜମିବାଡ଼ି ଅଛି। ସେଥିରୁ କିଛି ବିକି ମୋଦିଙ୍କ ପାଇଁ କିଛି ଉପଢ଼ୌକନ କିଣିବି ବୋଲି ବିଚାରିଛି। ମୋଦି-ଜୀ ମତେ ଭେଟିବାକୁ ନ ଆସିବା ଯାଏଁ ମୁଁ ଧାରଣାରେ ବସିଥିବି।

ଶାନ୍ତିଙ୍କ ଧାରଣା:
ଶାନ୍ତି ଶର୍ମା ଯନ୍ତର ମନ୍ତର ଠାରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଭା ହେବା ନିମନ୍ତେ ଧାରଣା ବଜାୟ ରଖିବାକୁ ଗୁରୁଦ୍ୱାର ଏବଂ ମନ୍ଦିରଗୁଡ଼ିକରେ ଭୋଜନ କରୁଛନ୍ତି।

ଯନ୍ତର ମନ୍ତରରୁ ଧାରଣାସ୍ଥଳ ଅନ୍ୟତ୍ର ହଟାଇବାକୁ ନ୍ୟାସ୍‌ନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର ଆଦେଶ ଯୋଗୁଁ ସେ ଚିନ୍ତିତା।

ଯଦି ସରକାର ମତେ ଏଠାରୁ ଉଠାଇ ଦିଅନ୍ତି ମୁଁ କ’ଣ କରିବ ଜାଣେନା। ଏ ସ୍ଥାନ ଉତ୍ତମ ଏବଂ ମାସେ ହୋଇ ଯାଇ ଥିବାରୁ ମତେ ଆରେଇ ଗଲାଣି।

ସମ୍ବନ୍ଧିତ ଖବର