ଆପଣଙ୍କ କଥା ବୁଝିବାକୁ ଯୀଶୁ ଆସୁଛନ୍ତି: ୟୁକ୍ରେନ୍‌ ଫ୍ରଣ୍ଟ୍‌ଲାଇନ୍‌ରୁ ପୁଟିନ୍‌ଙ୍କୁ ସତର୍କ କଲେ ଆମେରିକୀୟ ନର୍ସ

ଡନେଟ୍‌ସ୍କ୍‌ ଫ୍ରଣ୍ଟ୍‌ ଲାଇନ୍‌: ଆପଣଙ୍କ କଥା ବୁଝିବାକୁ ଯୀଶୁ ଆସୁଛନ୍ତି ବୋଲି ‌ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ସତର୍କ କରାଇ ଡନେଟ୍‌ସ୍କ୍‌ ଫ୍ରଣ୍ଟ୍‌ ଲାଇନ୍‌ରେ ବୋମା ବିସ୍ଫୋରଣରେ ଆହତମାନଙ୍କର ସେବା କରୁଥିବା ଆମେରିକୀୟ ସ୍ବେଚ୍ଛାସେବୀ ନର୍ସ ଜେନିଫର୍‌ ମୁଲି କହିଛନ୍ତି।

ଚଳିତ ବର୍ଷ ମେ’ ମାସ ପର୍ଯ୍ୟନ୍ତ ଲସ୍‌ ଏଞ୍ଜେଲ୍‌ସ୍ଥିତ ଏକ ଡାକ୍ତରଖାନାରେ ଏମର୍‌ଜେନ୍‌ସି ନର୍ସ ଭାବେ କାର୍ଯ୍ୟ କରୁଥିବା ମୁଲି ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ ନିବେଦନ ଶୁଣି ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ପହଞ୍ଚିବା ବେଳକୁ ୧୦ ମାସର ଯୁଦ୍ଧରେ ସେ ଅଞ୍ଚଳ ଛାରଖାର ହୋଇଯାଇଥିଲା।

‘ପିରୋଗୋଭ୍‌ ଫାଷ୍ଟ୍‌ ଭଲ୍ୟୁଣ୍ଟର୍‌ ମୋବାଇଲ୍‌ ହସ୍ପିଟାଲ୍‌’ର ଜଣେ ସଦସ୍ୟ ଭାବେ ସେବେଠାରୁ ସେ ସେଠାରେ ୟୁକ୍ରେନୀୟମାନଙ୍କ ଜୀବନ ବଞ୍ଚାଇବାରେ ସହାୟତା କରୁଛନ୍ତି।

Image Courtesy of NDTV

ଆହତ ତଥା ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୈନିକମାନଙ୍କୁ ଆମ୍ବୁଲାନ୍‌ସ୍‌ରେ ଡାକ୍ତରଖାନା ନେବା ସମୟରେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ମୁଲି କହିଛନ୍ତି, ମୋ ଦୁଇ ଝିଅଙ୍କ ଅନୁପସ୍ଥିତି ଅନୁଭବ କରୁଛି। କିନ୍ତୁ, ୟୁକ୍ରେନ୍‌ ସଂଗ୍ରାମରେ କ’ଣ ସବୁ ଘଟୁଛି ସେମାନେ ବୁଝନ୍ତି ଓ ବିଶ୍ବାସ କରିନ୍ତି। ମୁଁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରୁଥିବାରୁ ସେମାନେ ମତେ ସମର୍ଥନ କରନ୍ତି।

ଜଣେ ନର୍ସ ତଥା ଡାକ୍ତର ଭାବେ ଆଫଗାନିସ୍ତାନରେ ଦୁଇ ଥର ମୁତୟନ ହୋଇଥିବା ମୁଲିଙ୍କ ଜନ୍ମ ଗୋଟିଏ ସାମରିକ ପରିବାରରେ।

ସେ କହିଛନ୍ତି, ଭୟାବହ ଧ୍ବଂସଲୀଳା, ମୃତ୍ୟୁ ଓ ଆଘାତ ଭଳି ପରିସ୍ଥିତି ସତ୍ତ୍ବେ ତାଙ୍କ ଯୁଦ୍ଧକୁ ଯାଇଥିବା ତାଙ୍କର କୌଣସି ଆତ୍ମୀୟ ଆହତ ହୋଇ ନାହାନ୍ତି।

ୟୁକ୍ରେନ୍‌ର ଏଭଳି ପରିସ୍ଥିତି ପାଇଁ ସେ ରୁଷୀୟ ନେତା ପୁଟିନଙ୍କୁ ଦାୟୀ କରି କହିଛନ୍ତି, ମୁଁ ଈଶ୍ବରଙ୍କୁ ପ୍ରାର୍ଥନା କରୁଛି, ଭୟାବହ ନିର୍ମମତାର ବିଚାର କରିବେ। ମୁଁ ନିଶ୍ଚିତ ଯେ, ଏ ଜନ୍ମରେ ନ ହେଲେ ବି ମୃତ୍ୟୁପରେ ତାଙ୍କର ବିଚାର ହେବ। କାରଣ ଯୀଶୁ ତାଙ୍କ ଉପରେ ଭୀଷଣ ରାଗିଛନ୍ତି ଓ ତାଙ୍କ କଥା ବୁଝିବାକୁ ଆସୁଛନ୍ତି।

ସମ୍ବନ୍ଧିତ ଖବର