ଗିରଫଦାରୀ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିୱାଲ, ତୁରନ୍ତ ମୁକ୍ତ କରିବାକୁ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆମ୍‌ ଆଦମୀ ପାର୍ଟି (ଆପ୍‌) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଆଇନଜୀବୀ ଦଳ ରବିବାର ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିବେ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିବା ପରେ ଶୁକ୍ରବାର ଏକ ନିମ୍ନ ଅଦାଲତ ତାଙ୍କୁ ବିସ୍ତୃତ ଏବଂ ନିରନ୍ତର ପଚରାଉଚରା ପାଇଁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଛନ୍ତି।
ଇଡି ଦ୍ୱାରା ଗିରଫ ହୋଇଥିବା କେଜ୍ରିଓ୍ଵାଲ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ତାଙ୍କ ଗିରଫଦାରୀ ଏବଂ ରିମାଣ୍ଡ ସଂପୂର୍ଣ୍ଣ ବେଆଇନ ଏବଂ ସେ ତୁରନ୍ତ ହାଜତରୁ ମୁକ୍ତ ହେବାର ଅଧିକାର ତାଙ୍କର ରହିଛି।

କେନ୍ଦ୍ରୀୟ ଆଣ୍ଟି ମନି ଲଣ୍ଡରିଂ ଏଜେନ୍‌ସି (ଇଡି)ର ଜବରଦସ୍ତ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବାର କିଛି ଘଣ୍ଟା ପରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। କେଜ୍ରିଓ୍ଵାଲ ତାଙ୍କ ବିରୋଧରେ ଜାରି ହୋଇଥିବା ସମନ ସମେତ ସମସ୍ତ ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହି ପିଟିସନରେ କେଜ୍ରିୱାଲ କହିଥିଲେ ଯେ ସେ ଶାସକ ଦଳର କଡ଼ା ସମାଲୋଚକ, ବିରୋଧୀ ଦଳ ନେତା ଏବଂ ଇଡି କେନ୍ଦ୍ର ନିୟନ୍ତ୍ରଣରେ ଥିବାରୁ ତାଙ୍କୁ ଅସ୍ତ୍ର କରାଯାଇଛି।

୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ପ୍ରଣୟନ ଓ କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଓ ମନି ଲଣ୍ଡରିଂ ଅଭିଯୋଗରେ ଏହି ମାମଲା ରହିଛି। ଏହି ମାମଲାରେ ଆପ୍‌ର ଅନ୍ୟତମ ଶୀର୍ଷ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ସମ୍ବନ୍ଧିତ ଖବର