ଏବେଠାରୁ ଦଳର ସର୍ବେସର୍ବା ହେବେ ତେଜସ୍ବୀ, ସବୁ ନିଷ୍ପତ୍ତି ନେବେ: ଲାଲୁ ଯାଦବ

ନୂଆଦିଲ୍ଲୀ: ମୋ‌ ପରେ ଦଳର ସର୍ବେସର୍ବା ହେବେ ତେଜସ୍ବୀ। ସବୁ ନିଷ୍ପତ୍ତି ନେବେ। ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ଦୁଇ ଦିନିଆ ବୈଠକକୁ ସମ୍ବୋଧିତ କରି ଆରଜେଡି ନେତା ଲାଲୁ ଯାଦବ ଏଭଳି କହିଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନଠାରୁ କେବଳ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ହିଁ କୌଣସି ଗୁରୁତ୍ୱପୂର୍ଣ୍ଣ କିମ୍ବା ନୀତିଗତ ପ୍ରସଙ୍ଗ ବିଷୟରେ କହିବେ। ସମସ୍ତଙ୍କୁ ଏକଜୁଟ ରହିବାକୁ ତେଜସ୍ବୀ କହିଥିବା କଥା ସମ୍ପୂର୍ଣ୍ଣ ଠିକ। କାରଣ ଏକତାରେ ହିଁ ଶକ୍ତି ଅଛି, ସେଥିପାଇଁ ଆମକୁ ଏକଜୁଟ ରହିବାକୁ ପଡିବ। ଆମେ ଏପଟକୁ ସେପଟକୁ ନଦେଖିବା ସହ କିଛି କହିବା ପୂର୍ବରୁ ଚିନ୍ତା କରି କହିବା ଉଚିତ୍। ଆମେ ନିଷ୍ପତ୍ତି ନେଇଛୁ ଯେ କେବଳ ତେଜସ୍ୱୀ ଯାଦବ ଗଣମାଧ୍ୟମକୁ ଯେକୌଣସି ପ୍ରସଙ୍ଗରେ ବିବୃତି ଦେବେ, ଆଉ କେହି କିଛି ବି କହିବେ ନାହିଁ।

ତେବେ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରାଯିବା ନେଇ ଘୋଷଣା ହେବ ବୋଲି ସମ୍ଭାବନା ପ୍ରକାଶ ପାଇଥିଲା। ତେଜସ୍ୱୀ ଯାଦବଙ୍କୁ କାର୍ଯ୍ୟକାରୀ ସଭାପତି କରିବାକୁ ବିହାର ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପହଞ୍ଚି ନଥିବାରୁ ତେଜସ୍ୱୀ ଯାଦବଙ୍କୁ କାର୍ଯ୍ୟକାରୀ ସଭାପତି କରାଯିବା ନେଇ ସନ୍ଦେହ ଉପୁଜିଛି। ଜଗଦାନନ୍ଦ ସିଂ ଏହି ସଭାରେ ଯୋଗ ନଦେବା ଉପରେ ଆରଜେଡି ମୁଖପାତ୍ର ମନୋଜ ଝା କହିଛନ୍ତି ଯେ ତାଙ୍କ ଅନୁପସ୍ଥିତିର କୌଣସି କାରଣ ନାହିଁ। ଏଥି ସହ ସେ ଇସ୍ତଫା ଖବରକୁ ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର