‌କ୍ଷେତରେ ଫସଲ ଜଗିଥିଲେ ଚାଷୀ, ଦଳି ମାରିଲା ହାତୀ

ଭଞ୍ଜନଗର/ପ୍ରତାପୁର: ବନ୍ୟପ୍ରାଣୀଙ୍କ ସୁରକ୍ଷା ଲାଗି ଗତକାଲି ସକାଳ ସମୟରେ ବନ ବିଭାଗ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ କରିଥିବା ବେଳେ ରାତିରେ ନିଜ ଧାନ ଫସଲ ଜଗିବାକୁ ଯାଇଥିବା ଜଣେ ଚାଷୀଙ୍କ ହାତୀ ହାବୁଡରେ ପଡି ଜୀବନ ଯାଇଛି। ଏଭଳି ଦୁଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳ ମାଣପୁର ବିଟ୍‌ ଅର୍ନ୍ତଗତ ଶିଶୁଣ୍ଡା ଓ ଗ୍ରାମଦେବତୀ ଗ୍ରାମ ନିକଟରେ। ଜଗନ୍ନାଥପ୍ରସାଦ ବ୍ଳକ୍‌ କ୍ଷେତମୁଣ୍ଡଳୀ ଗ୍ରାମର ଦିବଙ୍ଗତ ନାରୁଶୁ ପାତ୍ରଙ୍କ ପୁଅ ପବିତ୍ର ପାତ୍ର(୪୮) ଗତକାଲି ଗ୍ରାମଦେବତୀ ନିକଟରେ ସେ ଚାଷ କରୁଥିବା ଜମିକୁ ଧାନଫସଲ ଜଗିବାକୁ ଯାଇଥିବା ବେଳେ ହାତୀ ହାବୁ‌ଡରେ ପଡି ମୃତ୍ୟୁ ବରଣ କରିଛନ୍ତି। ଖବର ପାଇ ତାରସିଂ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କେସ୍‌ ନମ୍ବର ୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ପବିତ୍ର ଜଣେ ଭାଗଚାଷୀ ହୋଇଥିବା ବ‌େଳେ ଗତକାଲି ରାତିରେ ଖାଇସାରି ୮ ଟା ସମୟରେ ଜମି ନିକଟକୁ ଯାଇଥିଲେ। ସେହି ସମୟରେ ନିକଟସ୍ଥ ବ୍ରାହ୍ମଣସାହି ସଂରକ୍ଷିତ ଜଙ୍ଗଲରୁ ଏକ ୧୭ ଟିକିଆ ହାତୀପଲ ଧାନ ଫସଲ ଖାଇବାକୁ ଆସିଥିଲେ। ‌ହାତୀ ଆସୁଥିବା ଦେଖି ପବିତ୍ରଙ୍କ ସହ ୫ଜଣ ମିଶି ହାତୀକୁ ଘଉଡାଇଥିଲେ। ହାତୀପଲ ପଛକୁ ଘୁଞ୍ଚିବା ସହ ନିକଟସ୍ଥ କାଜୁ ବଗିଚାକୁ ପଳାଇଥିଲେ। କିଛି ଛୁଆ ହାତୀ ଜମି ନିକଟରେ ଥିବା ଏକ ପୋଖରୀ ଆଡକୁ ପଳାଇଥିଲେ। ସେମାନଙ୍କୁ ହାତୀପଲ ଆଡକୁ ଘଉଡାଇବା ପାଇଁ ପୁଣି ସମସ୍ତେ ଯାଇଥିଲେ। ଛୁଆହାତୀଙ୍କୁ ଘଉଡାଇବା ସମୟରେ ହଠାତ୍‌ ଏକ ମାଆ ହାତୀ ସେମାନଙ୍କ ଆଡକୁ ଗ‌ୋଡାଇ ଆଣିଥିଲା। ଅନ୍ୟମାନେ ପ୍ରାଣ ବିକଳରେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡି ପଳାଇଥିବା ବେଳେ ପବିତ୍ର ତଳେ ପଡିଯିବା ସହ ହାତୀ କବଳରୁ ମୁକୁଳି ପାରିନଥିଲେ। ଶୁଣ୍ଢରେ ‌ଠେଲିବା ସହ ପେଟକୁ ଦଳି ଚକଟି ଦେଇଥିଲା। ହିଂସ୍ର ହୋଇ ପଡିଥିବା ହାତୀକୁ ସାମ୍ନା କରିବାକୁ କେହି ସାହାସ ଜୁଟାଇ ପାରିନଥିଲେ କି ପବିତ୍ରକୁ ରକ୍ଷା କରିପାରି ନଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ବାଣ ଫୁଟାଇବା ସହ ହାତୀଙ୍କୁ ‌ଘଟଣାସ୍ଥଳରୁ ଘ‌ଉଡାଇବା ପରେ ପବିତ୍ରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପବିତ୍ରକୁ ମୃତ ଘୋଷଣା କରିଥିଲେ।

ଏସଂର୍ପକରେ ଡିଏଫ୍‌ଓ ସୁଦର୍ଶନ ବେହେରା କହିଛନ୍ତି‌ ଯେ,ଡିଭିଜନରେ ବର୍ତ୍ତମାନ ୬୪ ଟି ହାତୀ ରହିଥିବା ବେଳେ କେବଳ ତାରସିଂ ବନାଞ୍ଚଳରେ ୪୧ ଟି ହାତୀ ରହିଛନ୍ତି। ତେଣୁ ଅନ୍ୟ ରେଞ୍ଜରୁ ମଧ୍ୟ କର୍ମଚାରୀଙ୍କୁ ଉକ୍ତ ଇଲାକାରେ ନିୟୋଜିତ କରାଯାଇଛି। ଘଟଣା ଘଟିଥିବା ସ୍ଥାନରେ ୧୭ ଟିକିଆ ହାତୀପଲ ରହିଛନ୍ତି। ‌ଉକ୍ତ ହାତୀ ଗୁଡିକ ଫୁଲବାଣୀ ଡିଭିଜନରୁ ମୁଜାଗଡ,ଗାଲେରୀ ରେଞ୍ଜ ଦେଇ ବର୍ତ୍ତମାନ ସେଠାରେ ରହିଥିବା ବେଳେ ପ୍ରତିଦିନ ବନ କର୍ମଚାରୀ ମାନେ ସେମାନଙ୍କ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ଗତକାଲି କାଜୁ ବଗିଚାରେ ହାତୀ ମାନଙ୍କୁ କର୍ମଚାରୀ ମାନେ ଘଉଡାଇବା ସମୟରେ ଏଭଳି ଘଟଣା ଘଟିଥିଲା। ସେ ଘଟଣାସ୍ଥଳ ବୁଲି ଦେଖିବା ସହ ସରକାରୀ ନିୟମ ଅନୁଯାୟୀ ପବିତ୍ରଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ତେବେ‌ ପବିତ୍ରଙ୍କ ଗୋଟିଏ ୧୪ ବର୍ଷର ଝିଅ ଏବଂ ୧୨ ବର୍ଷର ପୁଅ ରହିଥିବା ବେଳେ ସରକାରୀ ସହୟତା ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ଧନ ଜୀବନ ସହ ଫସଲ ସୁରକ୍ଷା ପାଇଁ ଅନେକ ସମୟରେ ହାତୀ ମଣିଷ ଲଢେଇ ଚାଳିଥିବା ବେଳେ ମଣିଷଙ୍କ ଠାରୁ ହାତ ଓ ହାତୀପଲ ଠାରୁ ମଣିଷଙ୍କୁ ରକ୍ଷା କରିବା ଏକ ଚାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର