ଏଲ୍‌ଜେପି ଦ୍ୱନ୍ଦ୍ୱ ବଢ଼ାଉଛି, ମିଛ କହୁଛି: ବିଜେପି

ଛାତି ଚିରିଦେଲେ ବି ମୋଦୀଙ୍କୁ ପାଇବ: ପାଶ୍ବାନ୍‌

ନୂଆଦିଲ୍ଲୀ : ବିଜେପି ଆଜି ସିଧାସଳଖ ଭାବେ ଏଲ୍‌ଜେପି ଉପରେ ବର୍ଷିଛି। ଏଲ୍‌ଜେପି ସଭାପତି ଚିରାଗ୍‌ ପାଶ୍ବାନ୍‌ ଅଯଥା ଦ୍ବନ୍ଦ୍ବ ବଢ଼ାଉଛନ୍ତି। ପାଶ୍ବାନ୍‌ ବିଜେପି ଏବଂ ଏହାର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରୁଛନ୍ତି କିନ୍ତୁ ଅନ୍ୟପକ୍ଷେ ସେ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରି ଏହା ଜଣାଇବାକୁ ଚାହୁଛନ୍ତି ଯେ, ତାଙ୍କର ବିଜେପି ସହ କିଛି ବୁଝାମଣା ରହିଛି। କିନ୍ତୁ ବିଜେପି ନେତା ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଆଜି କହିଛନ୍ତି, ଏଲ୍‌ଜେପି ସହ ବିଜେପିର କୌଣସି ନିର୍ବାଚନ ସଂପର୍କ ନାହିଁ। ଦ୍ବନ୍ଦ୍ବ ବଢ଼ାଇବା ଭଳି ରାଜନୀତିକୁ ଆମେ ଆଦୌ ପସନ୍ଦ କରୁନା ବୋଲି ଜାଭଡ଼େକର କହିଛନ୍ତି।

ସେହିପରି ଅନ୍ୟ ବରିଷ୍ଠ ବିଜେପି ନେତା ତଥା ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ ମଧ୍ୟ ପାଶ୍ବାନ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯାଦବ କହିଛନ୍ତି ପାଶ୍ବାନ୍‌ ମିଥ୍ୟା ରାଜନୀତି କରୁଛନ୍ତି। ତେବେ ଜାଭଡ଼େକର କହିଛନ୍ତି ବିହାରରେ ବିଜେପି ଜେଡିୟୁ, ଜିତନ ରାମ ମାଂଝିଙ୍କ ହାମ୍‌ସ ଏବଂ ଭିଆଇପି ଦଳ ସହ ମେଣ୍ଟ କରିଛି। ଏନ୍‌ଡିଏ ରାଜ୍ୟରେ ୩ ଚତୁର୍ଥାଂଶ ଭୋଟ୍‌ରେ ଜିତିବ ବୋଲି ସେ ଦୃଢ଼ ଆଶା ପ୍ରକଟ କରିଛନ୍ତି। ଏଲ୍‌ଜେପି ଚଳିତ ନିର୍ବାଚନରେ କୌଣସି ପ୍ରଭାବ ପକାଇ ପାରିବନି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଅକ୍ଟୋବର ୨୮ ତାରିଖରେ ବିହାର ବିଧାନସଭା ନିର୍ବାଚନ ଆରମ୍ଭ ହେବ। ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ।

ଛାତି ଚିରିଦେଲେ ବି ମୋଦୀଙ୍କୁ ପାଇବ: ପାଶ୍ବାନ୍‌
ପାଟନା : ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୧୧ ଦିନ ରହିଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏଲ୍‌ଜେପି ନେତା ଚିରାଗ୍‌ ପାଶ୍ବାନ୍‌ଙ୍କ ଉପରେ ଆଜି ବିଜେପି ବର୍ଷିବା ପରେ ପାଶ୍ବାନ୍‌ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଏହାର ଜବାବ ରଖିଛନ୍ତି। ପାଶ୍ବାନ୍‌ କହିଛନ୍ତି, ବିହାରରେ ବିଜେପି ସରକାର ଆସିବା ହିଁ ତାଙ୍କର ଲକ୍ଷ୍ୟ। ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‌ଫଟୋ ତାଙ୍କର ଆବଶ୍ୟକ ନାହିଁ। ମୋଦୀ ତାଙ୍କ ହୃଦୟରେ ଅଛନ୍ତି। ହନୁମାନଙ୍କର ଯେମିତି ରାମଙ୍କ ପାଇଁ ଭକ୍ତି ଅଛି ଠିକ୍‌ ସେମିତି ମୋ ଛାତି ଚିରିଦେଲେ ମଧ୍ୟ ମୋଦୀଙ୍କୁ ପାଇବ ବୋଲି ଚିରାଗ୍‌ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ‌ଫଟୋ ବ୍ୟବହାର କରୁଥିବାରୁ ଚିରାଗ୍‌ଙ୍କ ବିରୋଧରେ ବିଜେପି କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର