ସିବିଆଇ ମୁଖ୍ୟଙ୍କ ‘ବେଆଇନ’ ଅପସାରଣ ବିରୋଧରେ ସୁପ୍ରିମ୍‌କୋର୍ଟ ଗଲେ କଂଗ୍ରେସ ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ: ରାଫେଲ ବିମାନ ଖରିଦ ଚୁକ୍ତିରେ ହଜାର ହଜାର କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଥିବା କଂଗ୍ରେସ ଏକଥା ଅଭିଯୋଗ କରିଥିଲା କି ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା ଏହାର ତଦନ୍ତ କରିବାକୁ ଚାହୁଁଥିବାରୁ ତାଙ୍କୁ ରାତିଅଧିଆ ଛୁଟିରେ ପଠାଇ ଦିଆଯାଇଛି। ଶନିବାର କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ୍‌ ଖଡ୍‌ଗେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ‘ବେଆଇନ୍‌’ ଅପସାରଣ ବିରୋଧରେ ସୁପ୍ରିମ୍‌କୋର୍ଟ ଯାଇଛନ୍ତି।

ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ମଲ୍ଲିକାର୍ଜ୍ଜୁନ ଖଡ୍‌ଗେ କହିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ଭଳି ଭାବେ ସିବିଆଇର ମୁଖ୍ୟଙ୍କୁ ହଟାଇଲେ ତାହା ସଂପୂର୍ଣ୍ଣ ବେଆଇନ, ଉଦ୍ଦେଶ୍ୟମୂଳକ ଏବଂ ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପ। ଏହାର ତଦନ୍ତ ଲାଗି ଆମେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛୁ।

ଖଡ୍‌ଗେ ତାଙ୍କର ଆବେଦନରେ ଦର୍ଶାଇଛନ୍ତି କି ସିବିଆଇ ନିର୍ଦ୍ଦେଶକଙ୍କୁ ପ୍ରଧାନମନ୍ତ୍ରୀ,ଲୋକସଭାରେ ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ତିନିଜଣିଆ କମିଟି ନିଯୁକ୍ତି ଦେଇଥାଆନ୍ତି। ଯେହେତୁ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳାପ ପୂର୍ବ ସ୍ଥିରୀକୃତ,ତେଣୁ କମିଟିର ବିନା ଅନୁମତିରେ ତାଙ୍କର ଅପସାରଣ କରାଯାଇପାରିବ ନାହିଁ। ତେଣୁ ଅକ୍ଟୋବର ୨୪ ତାରିଖ ମଧ୍ୟରାତ୍ର ୨.୩୦ରେ ସରକାର ଯେଉଁ ଅର୍ଡର ବାହାର କରି ଆଲୋକ ବର୍ମାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲେ ତାହା ବେଆଇନ।

ଏହା ବିରୋଧରେ କମିତଟିର ଜଣେ ସଦସ୍ୟ ଭାବେ ସୁପ୍ରିମ୍‌କୋର୍ଟରେ ଘଟଣାର ତଦନ୍ତ ଲାଗି ଆବେଦନ କରିଛନ୍ତି ଖଡ୍‌ଗେ।

ସମ୍ବନ୍ଧିତ ଖବର