କୋଦାଳରେ ପତ୍ନୀଙ୍କୁ ହାଣି ଗୁରୁତର କରିବା ପରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କଲେ ପତି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଳା ରାଇଘର ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପରିବାର ଭିତରେ ଗଣ୍ଡଗୋଳ ଉପୁଜିବା ନେଇ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ କୋଦାଳରେ ହାଣି ଗୁରୁତର ଅାହତ କରିଥିବା ବେଳେ ନିଜେ ଗଛରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ରାଇଘର ସ୍ୱାସ୍ଥ୍ୟକ୍ରେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ କୋରାପୁଟ ସ୍ଥାନାନ୍ତରୀତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ରାଇଘର ବ୍ଲକ ଗୋନା ପଞ୍ଚାୟତ ଅନ୍ତର୍ଗତ ଖଡ଼କାରପାରା ଗ୍ରାମର ବାଲା ନାୟକ(୪୨) ତାଙ୍କ ପତ୍ନୀ ସୁର ବାଇ ନାୟକ(୩୫)ଙ୍କ ମଧ୍ୟରେ ଲଗାତର ଭାବେ କଳି ଲାଗି ରହୁଥିଲା ବୋଲି ଗ୍ରାମବାସୀମାନେ କହିଛନ୍ତି। ସବୁ ଦିନ ପରି ବାଲା ପତ୍ନୀ ସୁର ବାଇଙ୍କ ସହ ବିଲ କାମରେ ବାହାରିଥିଲେ। ସେଠାରେ ଦୁହିଁଙ୍କ ମଧ୍ୟରେ କଳି ଲାଗିଥିଲା। କଳି ବଢ଼ିଯିବାରୁ ବାଲା ରାଗରେ ଆସି ପତ୍ନୀଙ୍କୁ କୋଦାଳରେ ଅାକ୍ରମଣ କରିଥିଲେ। ପତ୍ନୀଙ୍କୁ ହାଣି ଗୁରୁତର କରିବା ପରେ ନିଜେ ଅଣ୍ଟାରେ ଭିଡ଼ିଥିବା ଗାମୁଛାକୁ ବେକରେ ଦେଇ ଆତ୍ମହତ୍ୟା କରିଥିଲେ। ସେମାନଙ୍କର ଏକ ୧୩ ବର୍ଷର ଝିଅ ମଧ୍ୟ ଅଛି।

ସମ୍ବନ୍ଧିତ ଖବର