ରୁଷୀୟ ସେନା କବଳରୁ ମୁକ୍ତ ୟୁକ୍ରେନୀୟ ନଗରୀରେ ୪୪୦ରୁ ଅଧିକ ଶବ ଥିବା ଗଣସମାଧି

କିବ୍‌: ରୁଷୀୟ ସେନା କବଳରୁ ମୁକ୍ତ କରାଯାଇ ପୁନର୍ଦଖଲ କରାଯାଇଥିବା ପୂର୍ବାଞ୍ଚଳ ନଗରୀ ଇଜିୟମ୍‌ରେ ୟୁକ୍ରେନୀୟ ସରକାରୀ ଅଧିକାରୀମାନେ ୪୪୦ରୁ ଅଧିକ ଶବ ଥିବା ଗଣସମାଧି ଦେଖିଥିବା କଥା ଗୁରୁବାର ଦିନ ପୁଲିସ କହିଛି। ମୃତ ଲୋକମାନଙ୍କ ମଧ୍ୟରୁ କେତେ ଜଣ ବୋମା ଏବଂ ବିମାନ ଆକ୍ରମଣରେ ମରିଥିବା କଥା ମଧ୍ୟ ପୁଲିସ ସୂଚନା ଦେଇଛି।

ଖାର୍‌କିଭ୍‌ ଅଞ୍ଚଳର ମୁଖ୍ୟ ପୁଲିସ ତଦନ୍ତକାରୀ ସେର୍‌ହିୟି ବୋଲ୍‌ଭିନୋଭ୍‌ ‘ସ୍କାଏ ନିଉଜ୍‌’କୁ କହିଛନ୍ତି ଯେ, ପ୍ରତ୍ୟେକ ଶବର ‘ଫୋରେନ୍‌ସିକ୍‌ ତଦନ୍ତ’ କରାଯିବ।

ବୋଲ୍‌ଭିନୋଭ୍‌ କହିଛନ୍ତି, ମୁକ୍ତ ହୋଇଥିବା ଅଞ୍ଚଳରେ ଥିବା ବଡ଼ ସହରରେ ଥିବା ବୃହତ୍‌ ସମାଧିସ୍ଥଳଗୁଡ଼ିକରୁ ଏହା ବୃହତ୍ତମ ବୋଲି ମୁଁ କହୁଛି। ଗୋଟିଏ ଜାଗାରେ ପୋତା ହୋଇଛି ୪୪୦ଟି ଶବ। କେତେକ କମାଣ ଗୋଳାରେ ମରିଥିବା ବେଳେ ଆଉ କେତେକ ବିମାନ ଆକ୍ରମଣରେ ମରିଛନ୍ତି।

Image Courtesy of NDTV

ସୂଚନାଯୋଗ୍ୟ, ଗତ ସପ୍ତାହାନ୍ତରେ ହଜାର ହଜାର ରୁଷୀୟ ସେନା ଇଜିୟମ୍‌ ନଗରୀ ଛାଡ଼ି ପଳାୟନ କରିଛନ୍ତି।

ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ଉପରୋକ୍ତ ଘଟଣା ପାଇଁ ରୁଷ୍‌କୁ ଦାୟୀ କରିଛନ୍ତି। ଉକ୍ତ ଗଣସମାଧିକୁ ସେ  ଫେବ୍ରୁଆରି ଶେଷ ଆଡ଼କୁ ରୁଷୀୟ ସେନା ଆକ୍ରମଣ କରିବାର ପ୍ରାରମ୍ଭିକ ଅବସ୍ଥାରେ ରାଜଧାନୀ କିବ୍‌ ଉପକଣ୍ଠସ୍ଥିତ ‘ବୁଚା’ରେ ଘଟିଥିବା ଘଟଣା ସହିତ ତୁଳନା କରିଛନ୍ତି।

ସେଠାରେ ଯୁଦ୍ଧ ଅପରାଧ ଘଟାଇଛନ୍ତି ବୋଲି ୟୁକ୍ରେନ୍‌ ଓ ପଶ୍ଚାତ୍ୟ ରାଷ୍ଟ୍ରମାନେ ରୁଷୀୟ ସେନାକୁ ଦାୟୀ କରିଛନ୍ତି।

ଭିଡିଓ ଉଦ୍‌ବୋଧନରେ ଜେଲେନ୍‌ସ୍କି କହିଛନ୍ତି, ଯେଉଁ ଆଡ଼େ ଯାଉଛି ରୁଷ୍‌ ମୃତ୍ୟୁ ବିଭୀଷିକା ସୃଷ୍ଟି କରୁଛି। ଏଥିାପାଇଁ ତାକୁ ଉତ୍ତରଦାୟୀ କରାଯିବା ଉଚିତ।

କିନ୍ତୁ, ସାଧାରଣ ନାଗରିକଙ୍କୁ ହତ୍ୟା କରିନାହିଁ କି, ଯୁଦ୍ଧ ଅପରାଧ କରିନାହିଁ ବୋଲି ରୁଷ୍‌ ବାରମ୍ବାର କହି ଆସୁଛି।

ସମ୍ବନ୍ଧିତ ଖବର