୨ ବର୍ଷରେ ଚୀନ୍‌ରେ ସବୁଠୁ ମାରାତ୍ମକ କୋଭିଡ୍‌ ଲହର୍‌: ମାସ୍‌ ଟେଷ୍ଟିଙ୍ଗ୍‌ ସହ ଲକ୍‌ଡାଉନ୍‌ ଜାରି

ବେଜିଙ୍ଗ୍: ସୋମବାର ଦିନ ଚୀନ୍‌ ସରକାରୀ କର୍ତ୍ତୃପକ୍ଷମାନେ ଦେଶବ୍ୟାପୀ ୨,୩୦୦ ନୂଆ କରୋନାଭାଇରସ୍‌ ମାମଲା ରେକର୍ଡ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ଏହା ଦିନକ ପୂର୍ବରୁ ଚୀନ୍‌ ଗୋଟିଏ ଦିନରେ ୩,୪୦୦ଟି ନୂଆ କୋଭିଡ୍‌-୧୯ ସଂକ୍ରମଣ ମାମଲା ରେକର୍ଡ କରିଥିଲା। ଗତ ୨ ବର୍ଷ ମଧ୍ୟରେ ଏହା ଥିଲା ଗୋଟିଏ ଦିନରେ ସବୁଠୁ ଅଧିକ ସଂକ୍ରମଣ। ଦୁଇ ବର୍ଷ ଧରି ସୀମାନ୍ତ ବନ୍ଦ ରଖିବା, ମାସ୍‌ ଟେଷ୍ଟିଙ୍ଗ୍‌ କରିବା, ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲକ୍‌ଡାଉନ୍‌ ଓ କ୍ବାରେଣ୍ଟିନ୍‌ ଜାରି କରିଯିବା ପରେ ଦେଶରେ ପୁନଶ୍ଚ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇବାରୁ କଟକଣା ସବୁ ଆହୁରି ବୃଦ୍ଧି କରାଯାଇଛି।

୧୭ ନିୟୁତ ଜନତା ବାସ କରୁଥିବା ଚୀନ୍‌ର ‘ଟେକ୍‌ ହବ୍‌’ ସେନ୍‌ଜେନ୍‌ରେ ଆଜି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସେଠାକାର କଳକାରଖାନାରେ ଓମିକ୍ରନ୍‌ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି ଚୀନ୍‌ର ବୃହତ୍ତମ ସହର ସଙ୍ଘାଇକୁ ମଧ୍ୟ ସିଲ୍‌ କରାଯାଇଛି। ଆଜି ସଙ୍ଘାଇରେ ୧୭୦ଟି ନୂଆ କୋଭିଡ୍‌୧୯ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି।

The Economic Times

ସେହିପରି, ଆଜିଠାରୁ ଚୀନ୍‌ର ଗୁଆଙ୍ଗଡୋଙ୍ଗ୍‌ ପ୍ରଦେଶରେ ଥିବା ଚୀନ୍‌ର ଡୋଙ୍ଗ୍‌ଗୁଆନ୍‌ ସହରରେ ବସ୍ ଓ ଭୂତଳ ରେଳ ଚଳାଚଳ ବନ୍ଦ ରହିଛି।

ମାର୍ଚ ମାସ ପ୍ରାରମ୍ଭରୁ ଉକ୍ତ ପ୍ରଦେଶର ସାଙ୍ଗ୍‌ଚୁନ୍‌ ସମତେ ଅନ୍ୟୂନ ୫ଟି ନଗରୀରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସାଙ୍ଗ୍‌ଚୁନ୍‌ର ୯ ନିୟୁତ ବାସିନ୍ଦାଙ୍କୁ ଶୁକ୍ରବାର ଠାରୁ ଘରେ ରହିବାକୁ ନିର୍ଦେଶ ଦିଆଯାଇଛି।

ଡାକ୍ତରଖାନା କର୍ମଚାରୀଙ୍କ ବିନା ସହଯୋଗରେ ସାଧାରଣ ଜନତା ‘କୋଭିଡ୍‌-୧୯ ଆଣ୍ଟିଜେନ୍‌ ସେଲ୍‌ଫ୍‌-ଟେଷ୍ଟ୍‌ କିଟ୍‌ସ୍‌’ ବ୍ୟବହାର କରିବା ପାଇଁ ଶୁକ୍ରବାର ଦିନ ଚୀନ୍‌ ପ୍ରଥମ କରି ଅନୁମତି ଦେଇଛି। କୋଭିଡ୍‌-୧୯ ଟେଷ୍ଟ୍‌ ବହୁଗୁଣ କରିବା ପାଇଁ ଯୋଜନା ଥିବା କଥା ମଧ୍ୟ ଦେଶର ସ୍ବାସ୍ଥ୍ୟ କମିସନ୍‌ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର