ଏରୋ ଇଣ୍ଡିଆ ଶୋ ପାଇଁ ୨୦ ଦିନ ବନ୍ଦ ରହିବ ଆମିଷ ଦୋକାନ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ଜାନୁୟାରୀ ୩୦ରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ମାଂସ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ଏହାର ସାର୍ବଜନୀନ ବିଜ୍ଞପ୍ତିରେ କହିଛି ଯେ ୟେଲାହଙ୍କା ବାୟୁସେନା ଷ୍ଟେସନର ୧୦ କିଲୋମିଟର ପରିସୀମାରେ ଥିବା ସମସ୍ତ ମାଂସ ଦୋକାନ ସହ ହୋଟେଲ ବନ୍ଦ ରହିବ | ଏହି ଦୂରତ୍ୱ ମଧ୍ୟରେ ଆମିଷ ଖାଦ୍ୟ ପରିବେଷଣ ଏବଂ ବିକ୍ରୟ ନିଷେଧ ହେବ। ଏରୋ ଇଣ୍ଡିଆ ସୋ ଫେବୃଆରୀ ୧୩ରୁ ୧୭ ପର୍ଯ୍ୟନ୍ତ ଚାଲିବ |

ବିବିଏମ୍ପି କହିଛି ଯେ ୟେଲାହଙ୍କା ବାୟୁସେନା ଷ୍ଟେସନର ୧୦ କିଲୋମିଟର ପରିସୀମା ମଧ୍ୟରେ ଥିବା ସାଧାରଣ ଜନତା, ହୋଟେଲ ମାଲିକ, ମାଂସ ଦୋକାନୀଙ୍କୁ ସୂଚିତ କରାଯାଉଛି ଯେ ୩୦ ଜାନୂୟାରୀରୁ ୨୦ ଫେବୃୟାରୀ ମଧ୍ୟରେ ସମସ୍ତ ମାଂସ / ଚିକେନ୍ / ମାଛ ଦୋକାନ ସହ ଏଭଳି ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ହୋଟେଲ ମଧ୍ୟ ବନ୍ଦ ରଖାଯିବ | ଏହାର କେହି ଉଲ୍ଲଂଘନ କଲେ ବିବିଏମପି ଆକ୍ଟ -୨୦୨୦ ଏବଂ ଭାରତୀୟ ବିମାନ ନିୟମ ୧୯୩୭ ର ନିୟମ ୯୧ ଅନୁଯାୟୀ ଦଣ୍ଡିତ କରାଯିବ ।

ବିବିଏମ୍ପି ଅଧିକାରୀଙ୍କ ଅନୁଯାୟୀ, ଏହି ନିଷ୍ପତ୍ତି ନିଆଯିବା ପଛରେ ବଡ କାରଣ ହେଉଛି ଯେ ମାଂସ କଟାଯାଉଥିବା ଦୋକାନ ସହ ଆମିଷ ହୋଟେଲର ଆଖପାଖରେ ପକ୍ଷୀମାନଙ୍କ ଭିଡ ଲାଗିଯାଏ। ଆଉ ପକ୍ଷୀମାନେ ମାଂସ ଖଣ୍ଡ ନେଇ ଆକାଶରେ ଉଡିଥାନ୍ତି | ଯେହେତୁ ଏରୋ ଇଣ୍ଡିଆ ଶୋ’ରେ ଅନେକ ବିମାନ ଦକ୍ଷତା ପ୍ରଦର୍ଶନ କରିବେ, ତେଣୁ ପକ୍ଷୀମାନେ ସେମାନଙ୍କ ସହ ମୁହାଁମୁହିଁ ହୋଇପାରନ୍ତି, ଯେଉଁଥିପାଇଁ ଦୁର୍ଘଟଣାର ଆଶଙ୍କା ବଢ଼ିଯିବ | ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି |

ସମ୍ବନ୍ଧିତ ଖବର