୧୭ ଦେଶରେ ଲୁଚିଛନ୍ତି ଭାରତର ୩୪ ମୋଷ୍ଟ ୱାଣ୍ଟେଡ୍‌

ନୂଆଦିଲ୍ଲୀ: ଭାରତରେ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କ ତାଲିକା ଏବେ ଲମ୍ବି ଚାଲିଛି ଏବଂ ବିଭିନ୍ନ ରାଷ୍ଟ୍ରରୁ ଏହି ଅପରାଧୀମାନେ ସେମାନଙ୍କ ନେଟ୍‌ୱର୍କ ସଂଚାଳନ କରୁଛନ୍ତି। ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ସର୍ବାଗ୍ରେ ଥିବା ଦାଉଦ ଇବ୍ରାହିମ ଏବେ ପାକିସ୍ତାନର ସୁରକ୍ଷାରେ ରହିଛି। ମୁମ୍ବାଇ ସିରିଏଲ୍ ବିସ୍ଫୋରଣ ମାମଲାର ଏହି ଅପରାଧୀକୁ ଭାରତ ଆଣିବା ପାଇଁ ପ୍ରୟାସ ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ୧୯୮୬ ମସିହାରୁ ସେ ଫେରାର ରହିଥିବା ବେଳେ ବିଦେଶରେ ଅପରାଧର ସାମ୍ରାଜ୍ୟ ବିସ୍ତାର କରିବାରେ ସଫଳ ହୋଇଛି। ଏବେ ଦେଶର ମୋଷ୍ଟ ୱାଣ୍ଟେଡ୍ ୩୪ ଜଣଙ୍କ ତାଲିକାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ମଧ୍ୟ ରହିଛି। ଏହି ଗ୍ୟାଙ୍ଗଷ୍ଟରମାନେ ବିଶ୍ୱର ୧୭ଟି ଦେଶରେ ଲୁଚି ରହିଛନ୍ତି । ହତ୍ୟା, ଜବରଦଖଲ, ଟାର୍ଗେଟ କିଲିଂ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ନିଶା ଦ୍ରବ୍ୟ ଚୋରା ଚାଲାଣ ଓ ଦାଦାବଟି ଭଳି ଅପରାଧରେ ସେମାନଙ୍କ ସଂପୃକ୍ତି ରହିଛି। ସେମାନଙ୍କୁ ଭାରତ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟ ଇଣ୍ଟରପୋଲ ସହାୟତାରେ ସମସ୍ତଙ୍କ ନାମରେ ମୋଟା ଅଙ୍କର ପୁରସ୍କାର ରାଶି ଏବଂ ରେଡ୍ କର୍ଣ୍ଣର ନୋଟିସ୍ ମଧ୍ୟ ଜାରି କରିଛି।

୫୦ରୁ ଅଧିକ ଅପରାଧରେ ସଂପୃକ୍ତ ଗୋଲ୍ଡି ବ୍ରାର ଏବେ ଆମେରିକାରେ ଥିବା ବେଳେ ସେ ହେଉଛି ଆତଙ୍କବାଦୀ ସଂଗଠନ ବବର ଖାଲସା ସହ ଜଡ଼ିତ ଜଣେ ଗ୍ୟାଙ୍ଗଷ୍ଟର। ସେଠାରୁ ସେ ଲରେନ୍ସ ବିଷ୍ଣୋଇ ଜରିଆରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିଲା। ଭାରତର ଆଉ ଏକ ମୋଷ୍ଟ୍‌ ୱାଣ୍ଟେଡ ଅପରାଧୀ ହରଜୋତ ସିଂ ଗିଲ ମଧ୍ୟ ଆମେରିକାରେ ଅଛି। ସେ ହେଉଛି ଗୋଲ୍ଡି ବ୍ରାର୍‌ର ଡାହାଣ ହାତ। ଭାରତ ବିରୋଧରେ ଲଗାତାର ଷଡ଼୍‌ଯନ୍ତ୍ର କରୁଥିବା ଗୁରପତୱନ୍ତ ସିଂହ ପନ୍ନୁ ହେଉଛି କାନାଡା-ଆମେରିକାର ଦୈତ ନାଗରିକ। ଖଲିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ସମ୍ପୃକ୍ତ। ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ, ଟାର୍ଗେଟ କିଲିଂ ଭଳି ମାମଲାରେ ତା’ର ସଂପୃକ୍ତି ରହିଛି। ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀମାନେ ପାକିସ୍ତାନ, ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଆଜରବାଇଜାନ, ଜର୍ମାନୀ, ଇଣ୍ଡୋନେସିଆ, ବ୍ରିଟେନ ଓ ୟୁଏଇ ଭଳି ଅନେକ ଦେଶରେ ଆଶ୍ରୟ ନେଇଛନ୍ତି। ଗୃହ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସର୍ବାଧିକ ୧୧ ଜଣ ମୋଷ୍ଟ ୱାଣ୍ଟେଡ କାନାଡାରେ ଅଛନ୍ତି ଏବଂ କାନାଡ଼ା ଏବେ ଭାରତ ବିରୋଧୀ ଅପରାଧ ନେଟ୍‌ୱର୍କର ଗଡ଼ ପାଲଟିଯାଇଛି।

କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପ ସୁଟର ସତବିନ୍ଦର ଭଳି ବ୍ୟକ୍ତି ଅଛନ୍ତି ଏବଂ ସେମାନଙ୍କୁ ସେଠାରେ କାନାଡା ସରକାର ସୁରକ୍ଷା ଦେଇଚାଲିଛି। ଆମେରିକାରେ ଏବେ ଭାରତର ୬ ଜଣ ଗ୍ୟାଙ୍ଗଷ୍ଟର ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଦରାନ କାହଲୋନ, ଅନମୋଲ ବିଷ୍ଣୋଇ ଓ ଅମୁଥ ବଳ ମଧ୍ୟ ରହିଥିବା ଜଣାପଡ଼ିଛି। ଗୁଇନ୍ଦା ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ଏହି ଅପରାଧୀମାନେ ସେମାନଙ୍କ ରହଣୀ ସ୍ଥାନ ଏବଂ ମୋବାଇଲ୍ ଫୋନ୍ ନମ୍ବର ବାରମ୍ବାର ପରିବର୍ତ୍ତନ କରିଥାନ୍ତି। ଗୋଲ୍ଡି ବ୍ରାର ଦିନକୁ ୪ରୁ ୫ ଥର ନିଜ ସ୍ଥାନ ବଦଳାଇଥାଏ। ସେ କେବେ କେଉଁ ସ୍ଥାନକୁ ଯିବ, ତାହା ତା’ ଗ୍ୟାଙ୍ଗର ଲୋକେ ମଧ୍ୟ ଜାଣନ୍ତି ନାହିଁ। ଅଧିକାଂଶ ଗ୍ୟାଙ୍ଗଷ୍ଟର ଏବେ ସାଟେଲାଇଟ୍ ଫୋନ୍ ବ୍ୟବହାର କରୁଛନ୍ତି। ପନ୍ନୁ ଦିନକୁ ୩ରୁ ୪ ଥର ନିଜର ସ୍ଥାନ ବଦଳାଉଛି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର