ତୃତୀୟ ପର୍ଯ୍ୟାୟ ପ୍ରଚାର ଶେଷ: ଶାହ, ସିନ୍ଧିଆ, ସୁପ୍ରିୟାଙ୍କ ଭାଗ୍ୟ ପରୀକ୍ଷା

୯୪ ଆସନରେ ୧୩୫୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ, ଷ୍ଟାର୍‌ ପ୍ରଚାରକଙ୍କ ମାରାଥନ ପ୍ରଚାର

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ୭ ତାରିଖରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ଲୋକସଭା ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ୧୩୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଥିବା ବେଳେ ଆଜି କଂଗ୍ରେସ ଓ ବିଜେପିର ଷ୍ଟାର୍‌ ପ୍ରଚାରକମାନେ ମାରାଥନ ପ୍ରଚାର କରିଛନ୍ତି। ଗୁଜରାଟର ସମସ୍ତ ୨୬ଟି ଆସନରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। କର୍ଣ୍ଣାଟକର ୧୪ ଆସନ ସମେତ ଆସାମ, ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଂଗ ଏବଂ ଉତ୍ତର ପ୍ରଦେଶରେ ମଧ୍ୟ ଅନେକ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶରେ ବିଭିନ୍ନ ରାଲିରେ ଉଦ୍‌ବୋଧନ ଦେବା ସହ ଅଯୋଧ୍ୟାରେ ରୋଡ୍‌ସୋ କରିଛନ୍ତି ଏବଂ ରାମଲାଲାଙ୍କ ଦର୍ଶନ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ତେଲେଙ୍ଗାନାରେ ଏବଂ ପ୍ରିୟଙ୍କା ଗାନ୍ଧୀ ଆମେଥି ଏବଂ ରାୟବରେଲିରେ ପ୍ରଚାର କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଦ୍ରୋହୀ ବିଜେପି ନେତା କେଏସ୍ ଈଶ୍ୱରାପ୍ପା, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଡିମ୍ପଲ ଯାଦବ, ଶିବରାଜ ସିଂହ ଚୌହାନ ଏବଂ ସୁପ୍ରିୟା ସୁଲେଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶୀର୍ଷ ଦଳମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି), ସମାଜବାଦୀ ପାର୍ଟି (ଏସ୍‌ପି), କଂଗ୍ରେସ ଓ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ରହିଛନ୍ତି। ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ଗାନ୍ଧୀନଗରରୁ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢୁଥିବା ଅମିତ ଶାହଙ୍କ ବିପକ୍ଷରେ କଂଗ୍ରେସର ସୋନାଲ ପଟେଲ ପ୍ରାର୍ଥୀ ହୋଇଛନ୍ତି । ୧୯୮୯ ମସିହାରୁ ଏହି ଆସନରେ ବିଜେପି ଅପରାଜେୟ ରହିଛି। ୨୦୧୯ ନିର୍ବାଚନରେ ଅମିତ ଶାହ କଂଗ୍ରେସ ପ୍ରାର୍ଥୀ ସିଜେ ଚାଓଡାଙ୍କୁ ୫.୫୫ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଏସ୍‌ପି ପ୍ରାର୍ଥୀ ଡିମ୍ପଲ ଯାଦବ ଉତ୍ତରପ୍ରଦେଶର ‘ମୈନପୁରୀ’ରୁ ଲୋକସଭା ନିର୍ବାଚନ ଲଢୁଛନ୍ତି। ୨୦୨୨ରେ ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ତାଙ୍କ ବୋହୂ ଡିମ୍ପଲ ଉପନିର୍ବାଚନରେ ଏହି ଆସନ ଜିତିଥିଲେ। ମୁଲାୟମଙ୍କ ବିଚାରଧାରାକୁ ବଞ୍ଚାଇବା ପାଇଁ ଲଢୁଥିବା ଓ ତିନି ଥର ସାଂସଦ ଥିବା ଡିମ୍ପଲ ବିଜେପି ପ୍ରାର୍ଥୀ ଜୟବୀର ସିଂହଙ୍କ ସହ ମୁକାବିଲା କରିବେ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଅଛନ୍ତି। ସେ କଂଗ୍ରେସର ରାଓ ଯାଦବେନ୍ଦ୍ର ସିଂହଙ୍କ ସହ ନିର୍ବାଚନୀ ଲଢ଼େଇରେ ମୁହାଁମୁହିଁ ହୋଇଛନ୍ତି। ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ କ୍ରିଷ୍ଣା ପାଲ ସିଂହ ସେତେବେଳେ କଂଗ୍ରେସ ପ୍ରାର୍ଥୀ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପରାସ୍ତ କରିଥିଲେ। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ବିଜେପି ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଚଳିତ ଲୋକସଭା ନିର୍ବାଚନରେ ଶିବରାଜ କଂଗ୍ରେସର ପ୍ରତାପ ଭାନୁ ଶର୍ମାଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି। ଏନ୍‌ସିପି ନେତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ବାରାମତୀ ଆସନରୁ ସର୍ବାଧିକ ଚର୍ଚ୍ଚିତ ପ୍ରାର୍ଥୀଙ୍କ ମଧ୍ୟରୁ ଅନ୍ୟତମ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କ ବିପକ୍ଷରେ ତିନି ଥର ସାଂସଦ ହୋଇଥିବା ସୁପ୍ରିୟା ସୁଲେଙ୍କ ମୁକାବିଲା ହେବ।

ସମ୍ବନ୍ଧିତ ଖବର