ବାହାହେବାକୁ ମନାକରିବାରୁ ଡାକ୍ତରୀ ଛାତ୍ରୀଙ୍କୁ ହତ୍ୟା

ଗୁଣ୍ଟୁର : ବିଜୟୱାଡ଼ାର ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିବା ଜଣେ ତୃତୀୟ ବାର୍ଷିକ ମେଡିକାଲ ଛାତ୍ରୀଙ୍କୁ ଜଣେ ଅସଫଳ ଏକପାଖିଆ ପ୍ରେମିକ ଗଳାକାଟି ହତ୍ୟା କରିଛି। ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଟକେଲାପାଡ଼ୁ ଅଞ୍ଚଳରେ ଡିସେମ୍ବର ୫ ତାରିଖ ରାତି ୯ଟାରେ ଏହି ଘଟଣା ଘଟିଛି।

ସୂଚନାଯୋଗ୍ୟ, ନିହତା ମେଡିକାଲ ଛାତ୍ରୀ ତପସ୍ବିନୀ ଓ ଅଭିଯୁକ୍ତ ସଫ୍ଟୱେର ଇଂଜିନିୟର ଜ୍ଞାନେଶ୍ବର ପରସ୍ପରର ବନ୍ଧୁ ଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ଦୁହିଁଙ୍କ ଭିତରେ ପରିଚୟ ହୋଇଥିଲା। ପରେ ତପସ୍ବିନୀଙ୍କର ଅନ୍ୟତ୍ର ବିବାହ ଠିକ୍ ହେଉଥିବା ଜାଣି ଜ୍ଞାନେଶ୍ବର ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। ତପସ୍ବିନୀ ଏଥିରେ ରାଜି ନ ହେବାରୁ ଜ୍ଞାନେଶ୍ବର ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଘଟଣାଦିନ ତପସ୍ବିନୀ ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ଟକେଲାପାଡ଼ୁ ଯାଇଥିବା ବେଳେ ଜ୍ଞାନେଶ୍ବର ତାଙ୍କୁ ଏକ ମଟରସାଇକେଲରେ ପିଛା କରିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ତପସ୍ବିନୀ ସହ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ତପସ୍ବିନୀ ତାକୁ ବିବାହ କରିବାକୁ ମନା କରିବାରୁ ଜ୍ଞାନେଶ୍ବର ଏକ ସର୍ଜିକାଲ ଛୁରିରେ ତା’ର ଗଳାକାଟି ପଳାଇଥିଲା। ତପସ୍ବିନୀଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର