‘ଓଡ଼ିଶାରେ ପରିବର୍ତ୍ତନ ହାୱା ବହିଲାଣି’: ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଲେ ରାଜନାଥ

ପାଣ୍ଡିଆନଙ୍କ ପାଖରେ ବନ୍ଧା ପଡ଼ିଛି ଓଡ଼ିଶା: ବିପ୍ଳବ ଦେବ

ଭବାନୀପାଟଣା/ରାୟଗଡ଼ା: ପାଖାପାଖି ୫୦ ବର୍ଷ କ୍ଷମତାରେ ରହି କଂଗ୍ରେସ ଗରିବୀ ଦୂର କରିପାରିଲା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିବା ପରେ ଦେଶରେ ୨୫କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି। ବହୁ ଏନ୍‌ଜିଓ ଗରିବୀ ପର୍ଯ୍ୟଟନ ପାଇଁ କଳାହାଣ୍ଡି ଆସୁଛନ୍ତି ଏବଂ ଏଠାକାର ଦାରିଦ୍ର୍ୟ ଉପରେ ଖବରକାଗଜରେ ଲେଖୁଛନ୍ତି। ହେଲେ ଆସନ୍ତା ୫ରୁ ୮ବର୍ଷ ମଧ୍ୟରେ କଳାହାଣ୍ଡି ଉପରେ ଥିବା ଧାରଣା ସଂପୂର୍ଣ୍ଣ ବଦଳିଯିବ। ବିଜେପି ସରକାର ଆସିଲେ ଜିଲ୍ଲା ବିକାଶର ଶିଖର ଛୁଇଁବ। ଆୟୁଷ୍ମାନ କାର୍ଡ ବି ମିଳିବ। ଓଡ଼ିଶାରେ ସଂପ୍ରତି ପରିବର୍ତ୍ତନର ହାୱା ବହୁଛି। ଏଣୁ ବିଜେପି ଏଥର ନିଶ୍ଚିତ ସରକାର ଗଢ଼ିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଭବାନୀପାଟଣା ଓ ରାୟଗଡ଼ାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଭବାନୀପାଟଣା ସହରସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ଆୟୋଜିତ ସମାବେଶରେ ଶ୍ରୀ ସିଂହ ଆହୁରି କହିଥିଲେ, ରାମମନ୍ଦିର ନିର୍ମାଣ, ଧାରା ୩୭୦ ହଟାଇବା, ୩ ତଲାକ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ ଏବଂ କରିକି ଦେଖାଇଲୁ। ଗତ ୫୦ ବର୍ଷ ଧରି କଂଗ୍ରେସ ସରକାର ଓ ୨୫ବର୍ଷ ଧରି ବିଜେଡି ସରକାରକୁ ଆପଣମାନେ ଦେଖି ଆସିଲେଣି। ଏଥର ବିଜେପିକୁ ଓଡ଼ିଶାରେ ୫ବର୍ଷ ସୁଯୋଗ ଦିଅନ୍ତୁ। ମୋଦୀଙ୍କ ଅବ୍‌କି ବାର୍‌ ୪୦୦ ପାର୍‌ ନିମ‌ନ୍ତେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା କେଶରୀ ଦେଓ ଓ ଅନ୍ୟ ବିଧାୟକ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ସେ।

ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଲେ ରାଜନାଥ
ବିଜେପି ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ
ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାର ବିବରଣୀ ଦେଲେ
ପାଣ୍ଡିଆନଙ୍କ ପାଖରେ ବନ୍ଧା ପଡ଼ିଛି ଓଡ଼ିଶା: ବିପ୍ଳବ ଦେବ

ସେହିଭଳି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ବିପ୍ଲବ ଦେବ ଓଡ଼ିଶା ସରକାର ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କରି କହିଥିଲେ, ବିଜେପି ଶାସନକୁ ଆସିଲେ ତାମିଲ ଶାସନ ହଟାଇ ଓଡ଼ିଆ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। ବର୍ତ୍ତମାନ ପାଣ୍ଡିଆନଙ୍କ ପାଖରେ ଓଡ଼ିଶାର ଶାସନ ବନ୍ଧା ପଡ଼ିଛି। ଓଡ଼ିଆ ଲୋକମାନେ ଓଡ଼ିଶାକୁ ମୁକୁଳାଇ ମୋଦୀଙ୍କ ବିକଶିତ ଭାରତ ପାଇଁ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ବସାନ୍ତୁ। ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଭାପତିତ୍ବରେ ସମାବେଶ ହୋଇଥିଲା। ଲୋକସଭା ପ୍ରାର୍ଥୀ ମାଳବିକା କେଶରୀ ଦେଓ, ବିଧାନସଭା ପ୍ରାର୍ଥୀ ପ୍ରଦୀପ୍ତ ନାଏକ, ମନୋଜ ମେହେର, ସୁଧୀର ପଟ୍ଟଯୋଷୀ, ରମେଶ ମାଝୀ, ଅନିରୁଦ୍ଧ ପ୍ରଧାନ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଦେବେନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ। ରାୟଗଡ଼ା ଜିଆଇଏସିଆର୍‌ ପଡ଼ିଆ ସମାଦେଶରେ ସେ କହିଥିଲେ, ମୋଦୀ ସରକାର ଭାରତର ଅର୍ଥ ବ୍ୟବସ୍ଥାକୁ ଏକାଦଶରୁ ପଞ୍ଚମ ସ୍ଥାନକୁ ଆଣିଛନ୍ତି। ଆଗାମୀ ଦିନରେ ୩ନମ୍ବରକୁ ଉଠିବ। ରାଜ୍ୟ ସରକାରକୁ ତୀବ୍ର ସମାଲୋଚନା କରି କହିଥିଲେ, ବିଜେଡି ଯାହା ପ୍ରତିଶ୍ରୁତି ଦେଉଛି ପୂରଣ କରୁନି। ବିଜେପି ସରକାର ଆସିଲେ ଲୋକଙ୍କୁ ପକ୍କାଘର, ପାଇଖାନା, ପାଇପ୍ ପାଣି ଓ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ଯୋଗାଇ ଦିଆଯିବ। ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ ଡଙ୍ଗରିଆ ଓ କାଶୀପୁର ବ୍ଲକ୍‌ର ଝୋଡ଼ିଆଙ୍କ ସମସ୍ୟାର ସମାଧାନ ସହ ରାୟଗଡ଼ାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟସଭା ସାଂସଦ ଚୁନେଲାଲ ଗରାସିଆ, ରାୟଗଡ଼ା ବିଧାନସଭା ପ୍ରାର୍ଥୀ ବସନ୍ତ କୁମାର ଉଲ୍ଲାକା, ବିଷମକଟକ ବିଧାୟକ ପ୍ରର୍ଥୀ ଜଗନ୍ନାଥ ନୁଣ୍ଡୁକା ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର