ବିଜେପି ବିରୋଧରେ ଗର୍ଜିଲେ ପାଣ୍ଡିଆନ: ‘ନିର୍ବାଚନ ପରେ ବିଜେଡିକୁ ଭାଙ୍ଗିବା ବିଜେପିର ରଣନୀତି’

ସରକାର ଗଢ଼ିବା ପାଇଁ ଓଡ଼ିଶାରେ ଲଢ଼ୁନି ବିଜେପି

ଭୁବନେଶ୍ବର: ‘ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପାଇଁ ଲଢ଼ୁନି। ସେମାନଙ୍କର ଲକ୍ଷ୍ୟ ୫୦/୬୦ ସିଟ୍ ପାଇବା। ସେତିକି ପାଇଲେ ନିର୍ବାଚନ ପରେ ବିଜେଡିକୁ ଭାଙ୍ଗିବେ। ଏହା ହିଁ ତାଙ୍କର ଆଭ୍ୟନ୍ତରୀଣ ରଣନୀତି। ଏ କଥା ମୁଁ ଖୋଲା କହୁଛି। ମହାରାଷ୍ଟ୍ର, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଯେମିତି କଲେ, ଏଠାରେ ବି ସେମିତି କରିବାକୁ ଚାହୁଛନ୍ତି।’ ଆଜି ଗୋପାଳପୁରରେ ବିଭିନ୍ନ ଟିଭି ଚ୍ୟାନେଲ୍‌ର ସମ୍ପାଦକମାନଙ୍କ ସହ ଆଲୋଚନା ବେଳେ ଏମିତି ମନ୍ତବ୍ୟ ଦେଇଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ। ଏକଥା ବି ରୋକ୍‌ଠୋକ୍ ଜଣାଇ ଦେଇଛନ୍ତି ଯେ ତାଙ୍କର ଏହି ଆଶା କେବେ ବି ସଫଳ ହେବ ନାହିଁ; ବିଧାନସଭାରେ ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବ ଓ ଲୋକସଭାରେ ପୂର୍ବପେକ୍ଷା ଅଧିକ ଆସନ ପାଇବ।

ଶ୍ରୀ ପାଣ୍ଡିଆନ ଆଜି ବି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ୧୦ ବର୍ଷ ହେଲା ଶ୍ରୀ ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଅଛନ୍ତି। ଏତେ ସମୟ କେହି କେନ୍ଦ୍ର ମନ୍ତ୍ରୀ ରହି ନଥିଲେ। ବିଜୁ ବାବୁ କି ନବୀନ ବାବୁ ବି ଏତେ ସମୟ ନଥିଲେ। କିନ୍ତୁ ସେ ଓଡ଼ିଶା ପାଇଁ କ’ଣ କରିଛନ୍ତି? ନିର୍ଦ୍ଦିଷ୍ଟ ଭାବେ ନିଜ ଜିଲ୍ଲା ଢେଙ୍କାନାଳ ପାଇଁ କ’ଣ କରିଛନ୍ତି? ଏ କଥା ମୁଁ ତାଙ୍କୁ ବାରମ୍ବାର ପଚାରୁଛି। କିନ୍ତୁ ସେ ଉତ୍ତର ଦେଉ ନାହାନ୍ତି। ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ ବ୍ଲାକ୍‌ବୋର୍ଡରେ ପିଲା ପାଠ ପଢ଼ୁଛନ୍ତି। ଓଡ଼ିଶାର ଯେ କୌଣସି ସ୍ଥାନରେ ୫-ଟି ରୂପାନ୍ତର ହୋଇଥିବା ସ୍କୁଲ୍‌ରେ ଡିଜିଟାଲ୍ ବୋର୍ଡରେ ପାଠ ପଢ଼ା ହେଉଛି। ଓଡ଼ିଶାରେ ୮,୫୦୦ ହାଇସ୍କୁଲ୍‌କୁ ରୂପାନ୍ତର କରାଯାଇଛି। ଏଠାରେ ଡିଜିଟାଲ୍ ବୋର୍ଡରେ ପାଠ ପଢ଼ା ହେଉଛି। କେନ୍ଦ୍ର ମନ୍ତ୍ରୀ ନିଜ ଗାଁ ପାଇଁ ବି କିଛି କରିପାରି ନାହାନ୍ତି। ଓଡ଼ିଶାରେ ସବୁ ବଡ଼ ବଡ଼ କେନ୍ଦ୍ରୀୟ ପ୍ରତିଷ୍ଠାନ ଉପା ସରକାର ବେଳେ ଏଠାରେ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ କିଛି କରିଥିଲେ, ଓଡ଼ିଶାବାସୀ ଖୁସି ହୋଇଥା’ନ୍ତେ।

ସରକାର ଗଢ଼ିବା ପାଇଁ ଓଡ଼ିଶାରେ ଲଢ଼ୁନି ବିଜେପି
୫୦/୬୦ ଆସନ ଜିତିବା ସେମାନଙ୍କ ଲକ୍ଷ୍ୟ
ଦୁଇ ତୃତୀୟାଂଶ ଆସନରେ ବିଜେଡି ଜିତିବ
ବିଜେପି ନେତାଙ୍କ ମୁହଁରେ ଅସ୍ମିତା ଶବ୍ଦ ଶୋଭାପାଉନି
ଧର୍ମେନ୍ଦ୍ର ୧୦ ବର୍ଷରେ କ’ଣ କରିଛନ୍ତି, ହିସାବ ମାଗିଲେ

ସେ କହିଥିଲେ, ନିର୍ବାଚନରେ ବିଜେପି ନିକଟରେ କିଛି ପ୍ରସଙ୍ଗ ନାହିଁ। ସେଥିପାଇଁ ସେମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି। ଗୋଟିଏ ରାଜ୍ୟର ଭାଷା, କଳା, ସଂସ୍କୃତି, ଐତିହ୍ୟ, ଇତିହାସ ରାଜ୍ୟକୁ ପରିଚୟ ଦେଉଥିବା ବ୍ୟକ୍ତି ହିଁ ଅସ୍ମିତାର ପରିଚୟ। ମାତ୍ର ବିଡ଼ମ୍ବନା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଦଳର ନେତାଙ୍କ ମୁହଁରେ ଓଡ଼ିଆ ଅସ୍ମିତା କଥା ଶୋଭା ପାଉନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଆ ଭାଷାକୁ ୨୦୧୪ରେ ଶାସ୍ତ୍ରୀୟ ମାନ୍ୟତା ମିଳିଲା। ମାତ୍ର ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶା ଭାଷାର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଟଙ୍କାଟିଏ ବି ଅନୁଦାନ ଦେଇ ନାହାନ୍ତି। ପ୍ରତିଟି ଓଡ଼ିଆର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ମାତ୍ର ତାଙ୍କ ପରିକ୍ରମା ପ୍ରକଳ୍ପ ରୋକିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଷଡ଼ଯନ୍ତ୍ର କରିଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟ ରୋକିବାକୁ ସୁପ୍ରିମକୋର୍ଟରେ ୩୫ ଲକ୍ଷ ଟଙ୍କା ଫି’ ନେଉଥିବା ଓକିଲଙ୍କୁ ଠିଆ କରାଇଛନ୍ତି। ସମ୍ବଲପୁରରେ ‘ସମଲେଇ’ ପ୍ରକଳ୍ପ ବିଳମ୍ବିତ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ପାଇକ ବିଦ୍ରୋହ ହେଉଛି ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଏହାକୁ ମାନ୍ୟତା ଦେବାକୁ ରାଜ୍ୟ ବିଜେପିର ୮ ଜଣ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଥରୁଟିଏ ବି ସ୍ୱର ଉତ୍ତୋଳନ କରି ନାହାନ୍ତି। ସେହିପରି ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ରୁ ବଞ୍ଚିତ କରାଯାଇଛି। ଏହା ଓଡ଼ିଆ ଅସ୍ମିତା ଉପରେ ଆଘାତ ନୁହେଁ ? ବିଜେପି ଓ ଏହାର ନେତାମାନଙ୍କର ଅସ୍ମିତା ପ୍ରସଙ୍ଗ ସମ୍ପୂର୍ଣ୍ଣ ଫମ୍ପା। ରାଜ୍ୟର ଲୋକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଓଡ଼ିଶାବାସୀ କେବଳ ‘ନବୀନ ଗ୍ୟାରେଣ୍ଟି’ରେ ବିଶ୍ୱାସ କରନ୍ତି। ତାଙ୍କ ପାଇଁ କାମ କରୁଥିବା ନବୀନ ପଟ୍ଟନାୟକଙ୍କ ଉପରେ ଭରସା ରଖିଛନ୍ତି।

ବିଜେପିର କେନ୍ଦ୍ରୀୟ ନେତାଙ୍କ ପ୍ରଚାରର କୌଣସି ପ୍ରଭାବ ପଡ଼ିବନି ବୋଲି ଦର୍ଶାଇ ଶ୍ରୀ ପାଣ୍ଡିଆନ କହିଥିଲେ, ୨୦୧୪ ଓ ୨୦୧୯ରେ ବି ଏ ସମସ୍ତେ ଆସିଥିଲେ। ବହୁତ ସଭା କରିଥିଲେ। ଓଡ଼ିଶାବାସୀ ତାହାର ଜବାବ ଦେଇଥିଲେ। ୨୦୧୪ରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା; ୧୦ ବର୍ଷ ବିତିଗଲାଣି, ଏହି ମାନ୍ୟତା ମିଳିଲା ନାହିଁ। ଧାନର ଏମ୍‌‌ଏସ୍‌‌ପି ୨ ଗୁଣ କରିବେ ବୋଲି କହିଥିଲେ, କଲେ ନାହିଁ। ବର୍ଷକୁ ୨ କୋଟି ଚାକିରି ଦେବାକୁ କହିଥିଲେ, ଅର୍ଥାତ୍‌‌ ୧୦ ବର୍ଷରେ ୨୦ କୋଟି ଚାକିରିରୁ ଓଡ଼ିଶାରୁ ତ ଅନ୍ୟୂନ ୮୦ ଲକ୍ଷ ନିଯୁକ୍ତି ପାଇବା କଥା। କିନ୍ତୁ କୁଆଡ଼େ ଗଲା ସେ ଚାକିରି?
ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ବିଜେଡି ଏକ ଆଞ୍ଚଳିକ ଦଳ ଓ ଓଡ଼ିଶା ପାଇଁ ଲଢ଼େଇ ଏହାର ଆଭିମୁଖ୍ୟ। ଗତଥର ବିଜେପିର ୮ ଜଣ ସାଂସଦ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିଲେ। ମାତ୍ର ସେମାନେ କେଉଁ ଗୋଟିଏ ରାଜ୍ୟ ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି କି ? ସେମାନଙ୍କର ଲକ୍ଷ୍ୟ ହେଉଛି କେମିତି କେନ୍ଦ୍ରରେ ମନ୍ତ୍ରୀ ହେବେ, ପରବର୍ତ୍ତୀ ନିର୍ବାଚନରେ ଟିକେଟ ପାଇବେ। ତେଣୁ ସେମାନେ ରାଜ୍ୟ ପ୍ରସଙ୍ଗ ଉଠାଇବେ ନାହିଁ। ବରଂ ସେମାନେ ମିସନ ଶକ୍ତି ବନ୍ଦ କରିବାକୁ ଷଡ଼୍‌ଯନ୍ତ୍ର କରିଛନ୍ତି, ରାଜ୍ୟବାସୀଙ୍କ ସଞ୍ଜୀବନୀ ବିଏସ୍‌‌କେୱାଇ ବିରୋଧରେ ଅପପ୍ରଚାର କରି ବୀମା କମ୍ପାନି ଦ୍ୱାରା ପରିଚାଳିତ ଆୟୁଷ୍ମାନ ପାଇଁ ଓକିଲାତି କରିଛନ୍ତି। କୋଇଲା ରାଜଭାଗ କିପରି ଓଡ଼ିଶା ନ ପାଇବ ସେଥିପାଇଁ ଉଦ୍ୟମ କରିଛନ୍ତି। ସେ ପୁଣି କହିଛନ୍ତି ଯେ ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡି ସହ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଛି, ଗୋଟିଏ ଯୋଡ଼ିଏ ବିଧାନସଭା ଆସନରେ ବିଜେଡି-ବିଜେପି ଲଢ଼େଇ ହେଉଛି। ଗଞ୍ଜାମ ଜିଲ୍ଲାରେ ଲଢ଼େଇ ସମ୍ପୂର୍ଣ୍ଣ ଏକପାଖିଆ। ଏଠାରେ ବିଜେଡିର କେହି ପ୍ରତିଦ୍ୱନ୍ଦ୍ୱୀ ଥିବା ପରି ଦିଶୁନାହିଁ।

ସମ୍ବନ୍ଧିତ ଖବର